19.1 C
Bhubaneswar
Monday, November 25, 2024
Homeଓଡିଶାଘୁଗୁନି ନଦେବାରୁ ମହିଳାଙ୍କୁ ଛୁରି ମାରି ହତ୍ୟା....

ଘୁଗୁନି ନଦେବାରୁ ମହିଳାଙ୍କୁ ଛୁରି ମାରି ହତ୍ୟା….

ଭୁବନେଶ୍ୱର: ଅନେକ ଦିନର ଖୋଳତାଡ଼ ପରେ ହତ୍ୟାକାରୀକୁ ବାନ୍ଧିଲା ପୋଲିସ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାର ଗୁମର ଖୋଲିଛି କମିଶନରଟ୍ ପୋଲିସ । ଅନେକ ଦିନର ତଦନ୍ତ ଓ ପଚରାଉଚରା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କମିଶନରଟ୍ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ମିଥୁନ ଜେନା (୩୪), ଘର ଗଙ୍ଗପାଟଣା ତଳ ସାହି ବୋଲି ଜଣା ପଡିଛି । ସୂଚନା ମୁତାବକ ଗୋଠପାଟଣା ଟ୍ରିପଲ୍‌ଆଇଟି ଛକରେ ସସ୍ମିତା ଓ ତାଙ୍କ ସ୍ୱାମୀ ବିଶ୍ୱନାଥ ବେହେରା ମିଶି ଏକ ଜଳଖିଆ ଦୋକାନ ଚଳାଉଥିଲେ । ୬ ତାରିଖ ରାତି ପ୍ରାୟ ସାଢେ ୮ଟା ବେଳେ ବିଶ୍ୱନାଥ ଦୋକାନ ପାଇଁ ପାଣି ଆଣିବାକୁ ନିକଟସ୍ଥ ଏକ ନଳକୂଅକୁ ଯାଇଥିଲେ ।

ସେହି ସମୟରେ କିଏ ଜଣେ ଅଜଣା ବ୍ୟକ୍ତି ସସ୍ମିତା ବେହେରାଙ୍କ ପେଟକୁ ଛୁରୀ ଭୁସି ସେଠାରୁ ଫେରାର ହୋଇଯାଇଥିଲେ । ଫଳରେ ସସ୍ମିତଙ୍କ ଅନ୍ତବୁଜୁଳା ବାହାରିଆସିଥିଲା । ସେ ପେଟକୁ ଚାପି ଧରି ନିକଟସ୍ଥ ଚା’ ଦୋକାନ ପାଖକୁ ଧାଇଁ ଆସି ସେଠାରେ ତଳେ ପଡ଼ିଯାଇଥିଲେ । ସସ୍ମିତାଙ୍କ ଚିତ୍କାର ଶୁଣି ଚା’ ଦୋକାନୀ ଦୋକାନ ଭିତରୁ ବାହାରି ଆସିଥିଲେ ଏବଂ ନଳକୂଅ ପାଖରୁ ବିଶ୍ୱନାଥ ମଧ୍ୟ ଧାଇଁ ଆସିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସସ୍ମିତାଙ୍କୁ ଦେଖି ସେମାନେ ପାଟି କରି ଆଖପାଖ ଲୋକଙ୍କୁ ଡାକ ପକାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସସ୍ମିତାଙ୍କର ମୃତ୍ୟୁ ହୋଇଯାଇଥିଲା । ତା’ପର ଦିନ ସସ୍ମିତାଙ୍କ ଭାଇ ବିପିନି ବେହେରା ଚନ୍ଦକା ଥାନାରେ କିଏ ଜଣେ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ଲିଖିତ ଭାବରେ ଅଭିଯୋଗ କରିଥିଲେ ।

ଏହାରି ଆଧାରରେ ଚନ୍ଦକା ପୋଲିସ ମାମଲା ରୁଜୁ କରି ତିନିଟି ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଦିଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ବ କରିଥିଲା । ଆନେକ ଲୋକଙ୍କୁ ପଚରାଉଚରା କରିବା ପରେ ଶେଷରେ ମିଥୁନ ଜେନା (୩୪) ନାମକ ଯୁବକ ପାଖରେ ପୋଲିସ ପହଞ୍ଚିଥିଲା । ତାକୁ ପଚରାଉଚରା କରିବା ପରେ ପୋଲିସ ସତ ଜାଣିବାକୁ ପାଇଲା ।ଉକ୍ତ ହତ୍ୟାକାଣ୍ଡକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଘୁଗୁନି ଖାଇବାକୁ ନେଇ ବଚସା ହୋଇଥିଲା । ଆଉ ମିଥୁନ ପ୍ରତିଶୋଧପରାୟଣ ହୋଇ ସସ୍ମିତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।

ସମ୍ପୁର୍ଣ୍ଣ ଘଟଣ ସ୍ୱିକାର କରିଛି ମିଥୁନ । ମିଥୁନ ଗତ ମାସ ୫ ତାରିଖ ଦିନ ସସ୍ମିତାଙ୍କ ହୋଟେଲକୁ ଜଳଖିଆ ଖାଇବାକୁ ଯାଇଥିଲା । ସେଠାରେ ଘୁଗୁନିକୁ ନେଇ ମିଥୁନ ଓ ସସ୍ମିତାଙ୍କ ଭିତରେ ବଚସା ହୋଇଥିଲା । ସେଠାରୁ ରାଗ ଗରଗର ହୋଇ ଚାଲିଯାଇଥିଲା ମିଥୁନ । ସେ ରାଗରେ ପ୍ରତିଶୋଧପରାୟଣ ହୋଇ ତା’ପର ଦିନ, ମିଥୁନ ଜେନା ସ୍ଥାନୀୟ ସୁବାଶ ସାହୁ ନାମକ ଦୋକାନୀ ଠାରୁ ଏକ ଛୁରୀ କିଣିଆଣି ସେହି ଛୁରିରେ ସସ୍ମିତାଙ୍କୁ ହତ୍ୟା କରିଥିବା ପୋଲିସ ପାଖରେ ସତ ମାନିଛି । ପୋଲିସ ମିଥୁନ ଜେନାକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହାର କରିଥିବା ଛୁରିକୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking