ନୂଆଦିଲ୍ଲୀ: ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ରବିବାର ଚାରି ରଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଥିବାବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପି ବିପୁଳ ବିଜୟ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ପ୍ରବେଶ କରିବାମାତ୍ରେ ଏନ୍ଡିଏ ସାଂସଦମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିବାବେଳେ ‘ତିସ୍ରି ବାର୍ ମୋଦୀ ସରକାର’ ସ୍ଲୋଗାନ ଦେଇଥିଲେ । ସୂଚନାଯୋଗ୍ୟ ମୋଦୀଙ୍କ ନେତୃତ୍ୱରେ ବିଜେପି ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ଜିତିସାରିଛି ।
୨୦୨୪ରେ ପୁଣି ଲୋକସଭା ନିର୍ବାଚନ ଅନଷ୍ଠିତ ହେବାକୁ ଥିବାବେଳେ ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ବୋଲି ଦଳୀୟ ସାଂସଦ ସ୍ଲୋଗାନ ଦେଇଥିଲେ । ଲୋକସଭାରେ ମୋଦୀ ଟ୍ରେଜେରୀ ବେଞ୍ଚ୍ର ପ୍ରଥମ ଧାଡିରେ ବସିଥିବାବେଳେ ତାଙ୍କ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ୍କରୀ ବସିଥିବା ଲକ୍ଷ୍ୟ କରାଯାଇଛି । ଅପରପକ୍ଷରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସ୍ୱାଧିକାର କମିଟି ଦେଇଥିବା ରିପୋର୍ଟ ଲୋକସଭାରେ ଉପସ୍ଥାପିତ ହୋଇଛି । ଚଳିତମାସ ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ୨୧ଟି ବିଲ୍ ଆଗତ କରିବାର କାର୍ଯ୍ୟକ୍ରମ ରହିଛି ।