16.1 C
Bhubaneswar
Thursday, January 16, 2025
Homeଖେଳୱିମ୍ବଲଡନ୍ ଓପନ୍‌; କ୍ୱାର୍ଟର୍‌ରେ ଜୋକୋଭିଚ୍ ଓ ସାବାଲେଙ୍କା

ୱିମ୍ବଲଡନ୍ ଓପନ୍‌; କ୍ୱାର୍ଟର୍‌ରେ ଜୋକୋଭିଚ୍ ଓ ସାବାଲେଙ୍କା

ଲଣ୍ଡନ: ଚଳିତ ୱିମ୍ବଲଡନ୍ ଓପନ୍‌ରେ ସୋମବାର ସର୍ବିୟାର ଦ୍ୱିତୀୟ ସିଡ୍ ଖେଳାଳି ନୋଭାକ୍ ଜୋକୋଭିଚ୍ ଓ ବେଲାରୁଷ୍‌ର ଦ୍ୱିତୀୟ ସିଡ୍ ଖେଳାଳି ଆରିନା ସାବାଲେଙ୍କା ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଛନ୍ତି । ରେକର୍ଡ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଲକ୍ଷ୍ୟ ନେଇ ଖେଳୁଥିବା ଜୋକୋଭିଚ୍ ପ୍ରିକ୍ୱାର୍ଟର୍ ମୁକାବିଲାରେ ପୋଲାଣ୍ଡ୍‌ର ସପ୍ତଦଶ ସିଡ୍ ହୁବର୍ଟ ହରକାଜ୍‌ଙ୍କୁ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ୭-୬(୮/୬),୭-୬(୮/୬),୭-୫,୬-୪ରେ ପରାସ୍ତ କରି ଏଠାରେ ତାଙ୍କର ୧୦ ବର୍ଷର ଅପରାଜେୟ ରେକର୍ଡକୁ କାଏମ ରଖିଛନ୍ତି । ଏଠାରେ ନିଜର ଶହେତମ ମ୍ୟାଚ୍ ଖେଳିଥିବା ଜୋକୋଭିଚ୍ ୫୬ ଥର ପାଇଁ କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚି ଏ କ୍ଷେତ୍ରରେ ଜିମ୍ମି କର୍ନର୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଏହାଛଡ଼ା ଏହି ମାମଲାରେ ସ୍ୱିଜରଲାଣ୍ଡ୍‌ର କିମ୍ବଦନ୍ତୀ ଖେଳାଳି ରୋଜର୍ ଫେଡେରର୍‌ଙ୍କ ପରେ ଜୋକୋଭିଚ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । କ୍ୱାର୍ଟର୍ ଫାଇନାଲ୍‌ରେ ସେ ରୁଷିଆର ସପ୍ତମ ସିଡ୍ ଆନ୍ଦ୍ରେ ରୁବ୍‌ଲେଭ୍‌ଙ୍କୁ ବୁଧବାର ଭେଟିବେ । ଦୁଇ ବର୍ଷ ତଳେ ଏଠାରେ କ୍ୱାର୍ଟର୍ ଫାଇନାଲ୍‌ରେ ଫେଡେରର୍‌ଙ୍କୁ ହରାଇଥିବା ୨୬ ବର୍ଷୀୟ ହରକାଜ୍‌ଙ୍କ ବିପକ୍ଷରେ ଜୋକୋଭିଚ୍ ସମାନ ଦଶା ଭୋଗିବା ସ୍ଥିତିରେ ପହଞ୍ଚିଯାଇଥିଲେ ।

ସେ ମ୍ୟାଚ୍‌ରେ ମୋଟ ୨୩ଟି ଏସ୍ ମାରିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଏସ୍‌ର ବେଗ ଘଣ୍ଟା ପ୍ରତି ୧୪୧ ମାଇଲ୍ ଥିଲା । ଅନ୍ୟପକ୍ଷରେ ରୁଷିଆର ୨୧ତମ ସିଡେଡ୍ ଏକାଟେରିନା ଆଲେକ୍‌ଜାଣ୍ଡ୍ରୋଭ୍‌ଙ୍କୁ ୬-୪, ୬-୦ରେ ପରାସ୍ତ କରି ସହଜ ବିଜୟ ସହ ସାବାଲେଙ୍କା ଚଳିତ ସିଜନ୍‌ରେ ତାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଆଡ଼କୁ ଅଗ୍ରସର ହୋଇଚନ୍ତି । ପୂର୍ବରୁ ୨୮ ବର୍ଷୀୟା ଆଲେକ୍‌ଜାଣ୍ଡ୍ରୋଭା ଦୁଇ ଥର ସାବାଲେଙ୍କାଙ୍କୁ ହରାଇଥିଲେ ମଧ୍ୟ ସୋମବାର ଏହାକୁ ଜାରି ରଖିବାରେ ଅସମର୍ଥ ହୋଇଥିଲେ । କ୍ୱାର୍ଟର୍ ଫାଇନାଲ୍‌ରେ ୨୫ ବର୍ଷୀୟା ସାବାଲେଙ୍କା ଆମେରିକାର ୨୫ତମ ସିଡେଡ୍ ଖେଳାଳି ମାଡିସନ୍ କିଜ୍‌ଙ୍କୁ ଭେଟିବେ । କାରଣ ୨୮ ବର୍ଷୀୟା କିଜ୍ ତାଙ୍କର ପ୍ରିକ୍ୱାର୍ଟର୍ ମୁକାବିଲାରେ ୧୬ ବର୍ଷୀୟା ମୀରା ଆଣ୍ଡ୍ରିଭାଙ୍କୁ ୩-୬,୭-୬(୪),୬-୨ରେ ପରାସ୍ତ କରି କ୍ୟାରିଅର୍‌ରେ ଦ୍ୱିତୀୟ ଥର ପାଇଁ ଏଠାରେ କ୍ୱାର୍ଟର୍‌କୁ ଉନ୍ନୀତ ହୋଇଛନ୍ତି । ଫଳସ୍ୱରୂପ ଗ୍ରାସ୍‌କୋର୍ଟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିବାରେ ସର୍ବକନିଷ୍ଠା ଖେଳାଳି ହେବାକୁ ଲକ୍ଷ୍ୟ ରଖିଥିବା ବିଶ୍ୱର ୧୦୨ ନମ୍ବର ର‌୍ୟାଙ୍କ୍‌ର ଆଣ୍ଡ୍ରିଭାଙ୍କୁ ନିରାଶ ହେବାକୁ ପଡ଼ିଛି । କ୍ୱାର୍ଟର୍‌ରେ ପହଞ୍ଚିଥିଲେ ସେ ରୁଷିଆର ଆନ୍ନା କୁର୍ନିକୋଭାଙ୍କୁ ପଛରେ ପକାଇଦେଇପାରିଥାନ୍ତେ । କୁର୍ନିକୋଭା ୧୯୯୭ରେ ଏଠାରେ କ୍ୱାର୍ଟର୍‌ରେ ପହଞ୍ଚି ସର୍ବକନିଷ୍ଠା ଖେଳାଳି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking