ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ୱତୀପୁର ପଞ୍ଚାୟତର କାଣ୍ଡି ସାହି ଅଞ୍ଚଳରୁ ସାମ୍ନାକୁ ଆସିଛି ହେଟା ବାଘର ଭିଡିଓ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ । ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ବିଲରୁ ଟ୍ରାକ୍ଟରରେ ଫେରୁଥିବା କିଛି ସ୍ଥାନୀୟ ଲୋକ ଏହି ଜନ୍ତୁକୁ ଦେଖିଥିଲେ । ଜନ୍ତୁଟିକୁ ଦେଖିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।ବିଶେଷ କରି ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗାଁ ଆଖପାଖ ଅଞ୍ଚଳରେ ଏହି ଜନ୍ତୁଟିକୁ ଦେଖାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ତେବେ ଘଟଣାକୁ ନେଇ ଏପର୍ଯ୍ୟନ୍ତ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଛି ।ତେବେ ପ୍ରକୃତରେ ଏହା ହେଟା ବାଘ ନା ଅନ୍ୟ କୌଣସି ବନ୍ୟଜନ୍ତୁ, ତାହା ବନ ବିଭାଗର ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ଏବେ ତୁରନ୍ତ ଜନ୍ତୁଟିକୁ ଚିହ୍ନଟ କରିବା ସହ ଏହାକୁ ଧରିବା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।










