ଭୁବନେଶ୍ୱର :ରଜ ଓଡ଼ିଶାର ଗଣପର୍ବ। ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ।
ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ୍ ବାଗୁଡ଼ି ଆଦି ଖେଳି ସହିତ ଏହା ପାଳନ କରାଯାଏ। ନିୟମିତ ରୋଷେଇ କରିବା ହେଉଛି ମହିଳାଙ୍କ କାର୍ଯ୍ୟ। କିନ୍ତୁ ରଜରେ ଧରିତ୍ରୀ ମାତାଙ୍କୁ ଯେପରି ବିଶ୍ରାମ ଦିଆଯାଏ ସେପରି ଝିଅ, ବୋହୂମାନଙ୍କୁ ନିୟମିତ କାର୍ଯ୍ୟରୁ ଅବ୍ୟାହତି ଦିଆଯାଏ। ଝିଅ ବୋହୂମାନେ ଏକାଠି ହୋଇ ଦୋଳି ଖେଳିବା ସହ ଘରେ ବସି ତାସ୍ ଓ ଲୁଡୁ ଖେଳିଥାନ୍ତି। ଏହି ସମୟରେ ନୂଆ ବାହା ହୋଇଥିବା ଝିଅଟି ଘରୁ ରଜଭାର ଆସିଥାଏ। କୁଆଁରୀ ଝିଅମାନେ ଅତି ଆନନ୍ଦରେ ରଜରେ ନୂଆ ପୋଷାକ ପିନ୍ଧି , ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜଦୋଳିର ଆନନ୍ଦ ଉଠାନ୍ତି।
ଆଷାଢ ମାସକୁ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ ଭାବେ ଧରାଯାଏ। ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଗୋଟିଏ ସ୍ଥାନରେ ରହି ସାଧନା କରିଥାନ୍ତି।