ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁ ସହରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀ ନିଜର ବିବାହ ପାଇଁ ଜିଦ୍ କରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ତାଙ୍କର କହିବା କଥା ଯେ, ସେ ତାଙ୍କ ପଡୋଶୀ ଯୁବକଙ୍କୁ ବହୁତ ଭଲ ପାଆନ୍ତି । ଏହା ସହିତ ସେ ନିଜ ସୁରକ୍ଷା ପାଇଁ ମଧ୍ୟ ନିବେଦନ କରିଥିଲେ । ତେବେ ଯୁବତୀଙ୍କ କାର୍ଯ୍ୟକଳାପ ଦେଖି ପୋଲିସ ମଧ୍ୟ ବିଚଳିତ ହୋଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ, ଏହି ଘଟଣାର ସୂଚନା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲା । ଆଉ ଏହା ପରେ ଉକ୍ତ ଅଞ୍ଚଳର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ଥାନାରେ ପହଞ୍ଚିଥିଲେ । ପରେ ସେ ଯୁବତୀଙ୍କ ପରିବାର ସଦସ୍ୟ ଏବଂ ଯୁବକଙ୍କୁ ଡାକିଥିଲେ ।
ଆଉ ବୁଝାସୁଝା କରି ତାଙ୍କୁ ଘରକୁ ପଠାଇଥିଲେ । ସଦର ଥାନା ପୋଲିସ ଅନୁଯାୟୀ, ଏହି ଯୁବତୀଙ୍କ ନାମ ଜେବୁନିସା । ସେ ଚୁରୁ ସହରର ୧୩ ନମ୍ବର ୱାର୍ଡର ବାସିନ୍ଦା । ସେ ବିବାହ ଏବଂ ସୁରକ୍ଷା ପାଇଁ ଅନୁରୋଧ କରି ବୁଧବାର ସଦର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ୨୩ ବର୍ଷୀୟ ଏହି ଯୁବତୀ କହିଛନ୍ତି ଯେ ସେ ପିଲାଦିନରୁ ନିଜ ପଡ଼ୋଶୀରେ ରହୁଥିବା ମନୀଷଙ୍କୁ ଜାଣିଛନ୍ତି । ସେମାନଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଅଛି । ସେ ଗତ ୫ ବର୍ଷ ଧରି ମନୀଷଙ୍କୁ ଭଲ ପାଉଛନ୍ତି । ଆଉ ଯେତେବେଳେ ସେ ତାଙ୍କ ପରିବାରକୁ ଏ ବିଷୟରେ କହିଥିଲେ, ସେମାନେ ତାଙ୍କ ସମ୍ପର୍କକୁ ଅସ୍ୱୀକାର କରିଥିଲେ । ବର୍ତ୍ତମାନ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଅନ୍ୟ ସ୍ଥାନରେ ବିବାହ କରିବାକୁ ଚାହୁଁଛନ୍ତି ।