ବାଲିଗୁଡ଼ା: ବର୍ଷାଦିନେ ବର୍ଷାଜଳ ଟିକିଏ ପାଇବା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି । ବର୍ଷା ଜଳ ଉପରେ ନର୍ଭର କରି ହଜାର ହଜାର ଚାଷୀ ବେଶ୍ ଉପକୃତ ହୋଇଥାନ୍ତି । ବର୍ଷର୍ା ଜଳର ପ୍ରଭାବରେ ସମସ୍ତ ନଦୀ ଓ ନାଳ ଜଳପୂର୍ଣ୍ଣ ହୋଇଥାଏ । ଉକ୍ତ ପାଣିକୁ ବ୍ୟବହାର କରି ବହୁ ଚାଷୀ ଫସଲ ଉତ୍ପାଦନ କରି ବେଶ୍ ଆନନ୍ଦିତ ହୋଇଛନ୍ତି । କିନ୍ତୁ ଏଭଳି କିଛି ଗ୍ରାମ ଅଛି ବର୍ଷା ଦିନ ଆସିଗଲେ ସେମାନଙ୍କର ପିଞ୍ଜରା ଧରିଉଠେ । ମାସ ମାସ ଧରି ସେମାନେ ଜଳବନ୍ଦୀ ହୋଇ ଜୀବନ ବିତାଇଥାନ୍ତି । ସାମାନ୍ୟ ବର୍ଷା ହେଲେ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ସେମାନଙ୍କର ଯାତାୟତ ଏକ ପ୍ରକାର ଠପ୍ ହୋଇପଡ଼େ । ବାହ୍ୟ ଜଗତରୁ ସେମାନେ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିଥାନ୍ତି। ଯାତାୟାତ ପାଇଁ କାଠଡଙ୍ଗା ହିଁ ଏକ ମାତ୍ର ଭରସା । ଏଭଳି କିଛି ଦୃଶ୍ୟ ଆଜି ଦେଖାଯାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆଦିବାସୀ ବହୁଳ ଖମନଖୋଲ ପଞ୍ଚାୟତର ଗଣ୍ଡାକା, ଗାଡ଼ିମାକ୍ସ, ଲାଡ଼ାମ, ଲଦା, ପାପେରଦପଡ଼ା ଓ ସୁରଟ ଭଳି ଗ୍ରାମରେ ।
ଏହି ସବୁ ଗ୍ରାମରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ନିର୍ଭର କରିଥାନ୍ତି । ବଜାରକୁ ହେଉ କିମ୍ବା ସ୍ୱାସ୍ଥ୍ୟ ପାଇଁ ଯିବାକୁ ହେଲେ ସେମାନେ ଖରସ୍ରୋତା ଖଡ଼ଗ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ । ଖରାଦିନ ପାଣି କମ୍ ରହୁଥିବାରୁ ସେମାନଙ୍କର ଯାତାୟାତରେ ସେଭଳି କିଛି ବିଶେଷ ଅସୁବିଧା ସେମାନେ ଉପଲବ୍ଧ କରିପାରନ୍ତି ନାହିଁ । କିନ୍ତୁ ବର୍ଷାଦିନ ଆସିଲେ ଏହି ମାନଙ୍କର ଦୁଃଖ କହିଲେ ନସରେ । ବର୍ଷା ଦିନରେ ବାଧକ ସାଜିଛି ନଦୀ । ଲୋକ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ଯାତାୟାତ କରିଥାନ୍ତି । ସ୍କୁଲ ପିଲା ହେଉ କିମ୍ବା ଡ଼ାକ୍ତରଖାନାକୁ ଯିବାକୁ ଥିବା ରୋଗୀ ଓ ବ୍ଳକ କିମ୍ବା ତହସିଲ୍ କାର୍ଯ୍ୟାଳୟରୁ କିଛି ସେବା ପାଇବା ପାଇଁ ଅଞ୍ଚଳବାସୀଙ୍କର ଏକମାତ୍ର ଭରସା ହେଉଛି କାଠଡ଼ଙ୍ଗା । ବର୍ଷାଦିନରେ ଅଞ୍ଚଳବାସୀ ଏକତ୍ରିତ ହୋଇ ନିଜର ସଉଦା ଆଣିବା ପାଇଁ ଯିବାକୁ ବାଧ୍ୟ ହୋଇ ହାତକୁ ହାତ ଧରି ମଧ୍ୟ ନଦୀ ପାର ହୋଇଥାନ୍ତି । ଗ୍ରାମର ଯୁବକମାନେ ହାତକୁ ହାତ ଧରି ହାତରେ କାଠ ମେଢା ଧରି ନଦୀ ପାର କରାଇଥାନ୍ତି ।
ତେବେ ସବୁବେଳେ ଡଙ୍ଗା ଚଲାଇବା ପାଇଁ ନାବିକ ସାଜିଥାନ୍ତି ଅଞ୍ଚଳବାସୀ । ଯେଉଁମାନେ ନାବିକ ଭାବେ ଦାୟିତ୍ୱ ତୁଲାଇଥାନ୍ତି ସେମାନେ ଅନୁପସ୍ଥିତ ଥିଲେ ଅନେକ ସମୟରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥାଏ ଓ ବାଧ୍ୟ ହୋଇ ହାତକୁ ହାତ ଧରି ଜୀବନକୁ ବାଜି ଲଗାଇ ନଦୀ ପାର ହୋଇଥାନ୍ତି । ଗାଁ ଲୋକଙ୍କ କହିବା କଥା ହେଲା, ଅଣ୍ଟାଏ ପାଣି ହେଲେ ଯେନତେନ ପ୍ରକାରେ ଲୋକ ନଦୀ ପାର ହୋଇପାରନ୍ତି । କିନ୍ତୁ ଅଧିକ ପାଣି ନଦୀରେ ଆସିଲେ ଯାତାୟାତ ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥାଏ । ଗତବର୍ଷଠାରୁ କାଠ ଡଙ୍ଗା ମରାମତି ହୋଇନଥିବାରୁ ଏବେ ଭଗ୍ନ ଅବସ୍ଥାରେ ପଡ଼ିରହିଛି । କାଠଡଙ୍ଗା ସମସ୍ତଙ୍କର ସାହା ଭରସା ହୋଇଥିଲେ ମଧ୍ୟ ତାହା ଏକବର୍ଷ ହେଲା ଭାଙ୍ଗିଯାଇଥିବା ଯୋଗୁଁ ଏବେ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଯାଇଛନ୍ତି । ଏପରିକି କୌଣସି କାର୍ଯ୍ୟରେ ସେମାନେ ବାଲିଗୁଡ଼ା, କ.ନୂଆର୍ଗାଁ କିମ୍ବା ଅନ୍ୟ କୌଣସି ଅଞ୍ଚଳକୁ ଆସିଥିଲେ ବର୍ଷାଜଳ ଆସିଗଲେ ସେମାନେ ଆଉ ନିଜ ଗ୍ରାମକୁ ଯାଇପାରନ୍ତି ନାହିଁ ।
ଫଳରେ ବର୍ଷାଜଳ କମିବା ପର୍ଯ୍ୟନ୍ତ ସେମାନେ ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଥାନ୍ତି । ସେହିଭଳି ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁଁ ଡଙ୍ଗାର ମରାମତି କରାଯାଇପାରୁନାହାନ୍ତି । ଏଭଳି ସ୍ଥଳେ ନୂତନ ଡଙ୍ଗା ଯୋଗାଇ ଦେବା ପାଇଁ ଗ୍ରାମର ପୀତାମ୍ବର ପ୍ରଧାନ, ବିରାସିପି ପ୍ରଧାନ, ଅନ୍ନ ମାଝୀ, ମଙ୍ଗୁଳି ଭୋଇ ଓ ଅନ୍ୟମାନେ ବ୍ଳକ ଓ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଲୋକସଂଖ୍ୟା କମ୍ ଯୋଗୁଁ ଆଜି ପର୍ଯ୍ୟନ୍ତ ପ୍ରଶାସନ ସ୍ତରରେ ମଧ୍ୟ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିବାବେଳେ ନିର୍ବାଚିତ ଲୋକ ପ୍ରତିନିଧିମାନେ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବିକରିଛନ୍ତି । ଏଭଳି ସ୍ଥଳେ ଦୀର୍ଘ ୭୪ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଦାବି ପୂରଣ ହୋଇପାରିନାହିଁ । ଗ୍ରାମବାସୀଙ୍କ ଦୁଃଖ ସରକାର କେବେ ଶୁଣିବେ ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।