17.1 C
Bhubaneswar
Thursday, January 16, 2025
Homeଓଡିଶାକତାରରୁ ଫେରିଲେ ଭିକ୍ଷାବୃତ୍ତି କରିରହୁଥିବା ଓଡ଼ିଆ ଯୁବକ

କତାରରୁ ଫେରିଲେ ଭିକ୍ଷାବୃତ୍ତି କରିରହୁଥିବା ଓଡ଼ିଆ ଯୁବକ

ଖଲ୍ଲିକୋଟ: ଗାଁକୁ ଫେରିଲେ କତାରରେ ଫସିଥିବା ଓଡ଼ିଆ ଯୁବକ ବିଷ୍ଣୁ ପ୍ରସାଦ ଡାକୁଆ । କତାରରେ ଫସିଥିବା ନେଇ ବିଷ୍ଣୁ ଏକ ଭିଡିଓ ମାଧ୍ୟମରେ ଅନୁରୋଧ ବାର୍ତ୍ତା ପଠାଇଥିଲେ । ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ନଂ ୱାର୍ଡ ଶ୍ୟାମସୁନ୍ଦରପୁର ଗ୍ରାମର ଗଙ୍ଗା ଡାକୁଆଙ୍କ ପୁଅ ବିଷ୍ଣୁ ପ୍ରସାଦ ଡାକୁଆ କାମ ଅନ୍ୱେଷଣରେ ସୂଦୁର କତାର ଯାଇଥିଲେ । କିନ୍ତୁ ସେଠାରେ ବଜାରକୁ ଯାଇଥିବା ବେଳେ ବିଷ୍ଣୁ ପାସପୋର୍ଟ ଧରିନଥିବାରୁ କାତର ପୁଲିସ ତାଙ୍କୁ ଉଠାଇ ନେଇଥିଲା । ତେବେ ଦୁଇ ମାସ ଜେଲ୍‌ରେ ରହି ଫେରିବା ପରେ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀ ସେଠାରୁ ଚାଲି ଯାଇଥିଲା । ଫଳରେ କମ୍ପାନୀ କ୍ୟାମ୍ପରେ ଥିବା ବିଷ୍ଣୁଙ୍କ ପାସ୍‌ପୋର୍ଟ, ଭିସା, ମୋବାଇଲ ଓ କିଛି ଟଙ୍କା ମଧ୍ୟ ସେଠାରୁ ଗାଏବ ହୋଇ ଯାଇଥିଲା ।

ସେବେଠାରୁ ବିଷ୍ଣୁ କାତରରେ ଏଣେତେଣେ ବୁଲି ଭୋକ ଉପାସରେ ଦିନ କାଟିଲେ । ଶେଷରେ ବାଧ୍ୟ ହୋଇ ଭୋକ ବିକଳରେ ଭିକ୍ଷା ବୃତ୍ତି କଲେ । ରହିବାକୁ ମଧ୍ୟ ଘର ନଥିବା ଯୋଗୁଁ ବସ୍ କିମ୍ବା ଏଣେତେଣେ ରାତ୍ରିଯାପନ କରୁଥିଲେ । ଜଣେ ଭାରତୀୟଙ୍କ ସହାୟତାରେ ଘର ସହ ଯୋଗାଯୋଗ ପରେ କୋଦଳା ଅଞ୍ଚଳର ଯୁବକ ସିପୁନ ମହାନ୍ତିଙ୍କ ଜରିଆରେ ଏକ କ୍ୟାମ୍ପରେ ରହିଥିଲେ । ଭିସା (ପାସପୋର୍ଟ) ନଥିବାରୁ ଗାଁକୁ ଆସିବା ସମ୍ଭବ ହୋଇପାରୁ ନଥିଲା । ଶେଷରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଷ୍ଣୁଙ୍କୁ ସହାୟତାର ହାତ ବଢାଇଥିଲେ ଉତ୍କଳିକା କାତର ସମାଜ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାଙ୍କୁ ସେଠାରୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ବିଷ୍ଣୁଙ୍କ ଖାଇବା ରହିବା କଥା ବୁଝିଥିଲେ । ଶେଷରେ ବିଷ୍ଣୁଙ୍କ ସମସ୍ତ ଆବଶ୍ୟକୀୟ କାଗଜପତ୍ର କରି ତାଙ୍କୁ ଗାଁକୁ ପଠାଇଛନ୍ତି ।

ତେବେ ବିଷ୍ଣୁ ଗାଁକୁ ଫେରିବା ପରେ ସେ କହିଛନ୍ତି ସେ କେବେ ଗାଁକୁ ଫେରିବେ ଆଶା କରିନଥିଲେ, ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହା ସମ୍ଭବ ହୋଇପାରିଛି । ତେଣୁ ଗଣମାଧ୍ୟମ ଓ ଉତ୍କଳିକା କାତର ସମାଜର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବିଷ୍ଣୁ କାତରରେ ଭିକ୍ଷାବୃତ୍ତି କରି ସେଠାରେ ଦୁଃଖ କଷ୍ଟରେ ଥିବା ଜାଣି ପରିବାର ଲୋକ ଭାଙ୍ଗି ପଡ଼ିଥିଲେ । କିନ୍ତୁ ଶନିବାର ରାତିରେ ପୁଅ ଫେରିବା ପରେ ବାପା-ମା’ ଭାବବିହ୍ୱଳ ହେବା ସହ ଖୁସିବ୍ୟକ୍ତ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ତାଙ୍କ ପୁଅ ଫେରିଆସିଛି ବୋଲି କହିଛନ୍ତି । ନିଜ ଅଞ୍ଚଳରେ କାମଧନ୍ଦାର ଅଭାବ ଏବଂ ଅଧିକ ଟଙ୍କା ରୋଜଗାର ଆଶାରେ ବିଦେଶ ଯାଇ ଅନେକ ଯୁବକ ନିର୍ଯାତନାର ଶିକାର ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏଭଳି ବେକାର ଯୁବକମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ବିଦେଶ ପଠାଉଥିବା ଦାଦନ ଠିକାଦାରଙ୍କ ଉପରେ ପ୍ରସାଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking