କଟକ : ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ଅପରାଧ ମାମଲାର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତଦି ଏମ୍.ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପବ୍ଲିକ୍ ପ୍ରସିକ୍ୟୁଟର୍ଙ୍କୁ ଏହି ଆଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଅଦାଲତରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧିନ ମାମଲାର ତ୍ୱରିତ ଫଇସଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦେବାକୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
୨୦୨୩, ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲା ସଂପର୍କରେ ହାଇକୋର୍ଟ ୱେବସାଇଟରେ ସୂଚନା ଜାରି କରାଯାଇଛି । ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୮୬ଟି ମାମଲା ବିଚାରାଧୀନ ରହିଥିବାବେଳେ ସମ୍ବଲପୁର ଜିଲ୍ଲାରେ ୫୩ଟି ଓ ତୃତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ ୫୧ଟି ମାମଲା ବିଚାରାଧୀନ ରହିଛି । ସର୍ବମୋଟ ରାଜ୍ୟରେ ଏଭଳି ୪୩୧ ମାମଲା ବିଚାରଧିନ ରହିଛି । ସର୍ବୋଚ୍ଚ ଅଦାଲତ ଗତ ୨୦୨୦, ମସøିହା ସେପ୍େଟମ୍ବର ୧୬ ତାରିଖରେ ‘ଅଶ୍ୱିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ନିର୍ବାଚିତ ଜନ ପ୍ରତିନିଧିଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ଅଦାଲତରେ ତ୍ୱରିତ ଶୁଣାଣି ଓ ଫଏସଲା ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହାପରେ ହାଇକୋର୍ଟ ୨୦୨୦ ମସିହାରେ ଏହି ପ୍ରସଂଗକୁ ନେଇ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣିବେଳେ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ କି ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ କେତେକ ସ୍ଥାନରେ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ସାଂସଦ, ପୂର୍ବତନ ସାଂସଦ, ବିଧାୟକ, ପୂର୍ବତନ ବିଧାୟକଙ୍କ ବିରୋଧରେ ଥିବା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଟ୍ରାଏଲ ଯୋଗ୍ୟ ମାମଲା ଶୁଣାଣି ପାଇଁ ୧୧ଟି ସିଭିଲ ଜଜ୍ ଅଦାଲତଙ୍କୁ ସ୍ୱତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଛି । ୨୦୨୧, ଏପ୍ରିଲ ୫ରେ ରାଜ୍ୟ ସରକାର ଦର୍ଶାଇଥିଲେ ଯେ ୨୦୨୧, ମାର୍ଚ୍ଚ ୧୭ର ବିଜ୍ଞପ୍ତି ଅନୁସାରେ ତିନୋଟି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତଙ୍କୁ ଏଭଳି ମାମଲା ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ମାନ୍ୟତା ପ୍ରଦାନ କରାଯାଇଛି । ଦୁଇ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି ।