ଲକ୍ଷ୍ନୌ : ବିବାହ ଉତ୍ସବ ବେଳେ ବଡ଼ଧରଣର ଅଘଟଣ । ଉତ୍ତରପ୍ରଦେଶର କୁଶୀନଗରରେ ଏକ ବଡ଼ଧରଣର ଅଘଟଣ ଘଟିଛି। ବିବାହ ଉତ୍ସବ ଚାଲିଥିବା ବେଳେ କୂଅରେ ପଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବିବାହ ପାଇଁ ମଙ୍ଗୁଳା ବିଧି କରାଯାଉଥିଲା । ସେହି ସମୟରେ କୂଅରେ ପଡ଼ିଥିବା ସ୍ଲାବ ଭୁଶୁଡ଼ି ପଡ଼ିବାରୁ ଏପରି ଏକ ଅଘଟଣ ଘଟିଛି । ଫଳରେ କିଛି ମହିଳାଙ୍କ ସମତେ ୯ଜଣ ଶିଶୁ କୂଅରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କିଛି ମହିଳା ଆହତ ମଧ୍ୟ ହୋଇଛନ୍ତି । ଆହତ ମହିଳାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ସବୁଠାରୁ ବଡ଼କଥା ହେଉଛି ମୃତ ଶିଶୁ ମାନଙ୍କ ବୟସ ୫ରୁ ୧୫ ବର୍ଷ ମଧ୍ୟରେ ରହିଛି ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ମୋଦି ଟ୍ୱିଟ୍ ଜରିଆରେ ଦୁଃଖ ପ୍ରକାଶ କରିବା ସହ ଏହା ଏକ ହୃଦୟ ବିଦାରକ ଘଟଣା ବୋଲି କହିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୋଦି ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।