29.1 C
Bhubaneswar
Saturday, July 27, 2024
Homeଓଡିଶାଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ମଧ୍ୟ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଉପକୂଳ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୂର୍ଣ ବାରଣ କରାଯାଇଛି ।
ରବିବାର ସକାଳ ୮ଟା ୩୦ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କଟକରେ ୭୦ ମିମିରୁ ୨୦୦ ମିମି ବର୍ଷା ହୋଇଥିବା ବେଳେ ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ବର୍ଷା ହୋଇଛି ।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୬ ତାରିଖ ସୋମବାର ଅପରାହ୍ନ ମଧ୍ୟରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ପ୍ରଭୃତି ୧୩ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏତଦ୍ ବ୍ୟତୀତ ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ନବରଙ୍ଗପୁର ପ୍ରଭୃତି ୯ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଉଭୟ ଭୁବନେଶ୍ୱର ଓ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରେ ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲି ସକାଳ ୮ଟାରୁ ୨୭ ତାରିଖ ମଧ୍ୟରେ ବଲାଙ୍ଗିର, କଳାହାଣ୍ଡି, ବରଗଡ଼ରେ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବୌଦ୍ଧ ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୮ ତାରିଖରେ ବି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗିରହିବ । ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଘୁଚାପ ଯୋଗୁଁ ୨୫ରୁ ୨୭ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking