ଭୁବନେଶ୍ୱର: ଅସହ୍ୟ ତାତିରେ ଜଳୁଛି ସାରା ରାଜ୍ୟ । ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ଉପରେ ରହୁଛି ପାରଦ । ପଶ୍ଚିମରୁ ଆଭ୍ୟନ୍ତରୀଣ ତତଲା କଡ଼େଇରେ ଭାଜି ହେଉଛି । ବୁଧବାର ୪ ସହର ୪୪ଂରେ ଜଳିଛି । ଏଭଳି ଭୀଷଣ ତାତି ଆଉ ତିନିଦିନ ରହିବ । ତେବେ ମେ’ରୁ ସାରା ରାଜ୍ୟରେ ତାତିରେ ଲାଗିବ ବ୍ରେକ୍ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି ଯେ ସାରା ରାଜ୍ୟରେ ଏହି ଗ୍ରୀଷ୍ମ ପ୍ରବାହ ଆହୁରି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଗୁରୁବାରଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ହିଟୱେଭ୍ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ, ମୟୂରଭଞ୍ଜ, ବରଗଡ, ଝାରସୁଗୁଡ଼ା ଓ ବଲାଙ୍ଗିର । ଏହାସହ ୩୦ରେ ୮ ଜିଲ୍ଲାକୁ ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ମେ’ଆରମ୍ଭରୁ ପାଗରେ ପରିବର୍ତ୍ତନ ହେବ । ପ୍ରଥମ ସପ୍ତାହରେ ଆକାଶ ଆଂଶିକ ମେଘୁଆ ପାଗ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଆଡ଼ୁ ପବନ ବୋହିବା ହେତୁ ସାରା ରାଜ୍ୟରେ ତାତି କମିବ । ଦ୍ୱିତୀୟ ସପ୍ତାହରେ କାଳବୈଶାଖୀ ବର୍ଷା ବଢ଼ିବା ଯୋଗୁ ଗରମ ହ୍ରାସ ପାଇବ ।
ଭୁବନେଶ୍ୱରରେ ଗୁରୁବାର ତାପମାତ୍ରା ସର୍ବାଧିକ ୩୯ଂ ପାଖାପାଖି ଏବଂ ତାପରେ ୫ଦିନ ପର୍ଯ୍ୟନ୍ତ ୩୭ରୁ ୩୮ ଡିଗ୍ରୀ ସେଲସିୟସ ରହିବ ବୋଲି ଆକଳନ କରାଯାଇଛି । ୨୯ରେ କେତେକ ସ୍ଥାନରେ ୪୬ଂ ସେଲସିୟସ ଛୁଇଁପାରେ ପାରଦ । ୨ରୁ କାଳବୈଶାଖୀ ସମ୍ଭାବନା ଯୋଗୁଁ ତାପମାତ୍ରା କିଛି ମାତ୍ରାରେ କମିବ । ୪ରୁ କାଳବୈଶାଖୀ ସମ୍ଭାବନା ଆହୁରି ଅଧିକ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ୪୧ଂ ସେଲିସୟସ ରହିବା ବେଳେ ଉତ୍ତର ଆଭ୍ୟନ୍ତରୀଣରେ ୪୦ଡିଗ୍ରୀ ତଳକୁ ଖସିପାରେ । ତେବେ ୨୯ରୁ ୨ ତାରିଖ ଭିତରେ ଉପକୂଳରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ବାବନା ରହିଛି ।
ବୁଧବାର ସୋନପୁରରେ ସର୍ବାଧିକ ତାମପାତ୍ରା ୪୪.୫ ଡିଗ୍ରୀ ରହିଥିଲା ବେଳେ ଅନୁଗୁଳରେ ୪୪.୧, ଝାରସୁଗୁଡା ଓ ବଲାଙ୍ଗିରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ୧୧ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ସେଗୁଡ଼ିକ ହେଲା-ବୌଦ୍ଧ, ବରଗଡ, ଦେବଗଡ, ଟିଟିଲାଗଡ, ହୀରାକୁଦ, ସୁନ୍ଦରଗଡ, ସମ୍ବଲପୁର । ଏହାସହ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ମଧ୍ୟ ତାପମାତ୍ରା ୪୦ଡିଗ୍ରୀ ଉପରେ ଅଛି । ପାରଳାଖେମୁଣ୍ଡିରେ ୪୨.୩, ବାରିପଦାରେ ୪୨.୬, ଭବାନୀପାଟଣାରେ ୪୨.୫, ନୂଆପଡା ଓ ଖୋର୍ଦ୍ଧା ୪୧.୫, ଯାଜପୁରରେ ୪୧.୨, ଢେଙ୍କାନାଳ ଓ ଭଦ୍ରକରେ ୪୧, କେନ୍ଦୁଝରରେ ୪୧.୬, ଭୁବନେଶ୍ୱରରେ ୪୦.୩, ବାଲେଶ୍ୱରରେ ୪୦.୧, ଚାନ୍ଦବାଲିରେ ୪୦.୨ ଓ କଟକରେ ୩୯.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।