20.1 C
Bhubaneswar
Thursday, January 16, 2025
Homeଓଡିଶାସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର : ୪୦ ଡିଗ୍ରୀ ଉପରେ ୧୬ ସହର

ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର : ୪୦ ଡିଗ୍ରୀ ଉପରେ ୧୬ ସହର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ପରିଲକ୍ଷିତ ହେଉଛି । ବୁଧବାର ଝାରସୁଗୁଡ଼ାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ଗୁରୁବାର ସୁବର୍ଣ୍ଣପୁର ୪୪.୨ ଡିଗ୍ରୀ ସହ ଦେଶର ସବୁଠୁ ତତଲା ସହର ବିବେଚିତ ହୋଇଛି । ଆଜି ସୁବର୍ଣ୍ଣପୁର ସମେତ ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗିରର ତାପମାତ୍ରା ୪୨.୮ ଡିଗ୍ରୀ ଥିବା ବେଳେ ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ବୌଦ୍ଧରେ ୪୨, ତାଳଚେରରେ ୪୧.୮, ଅନୁଗୁଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫ରେ, ଟିଟିଲାଗଡ଼ରେ ୪୧.୫, ପାରଳାଖେମୁଣ୍ଡିରେ ୪୧, ସମ୍ବଲପୁରରେ ୪୦.୮, ଭବାନୀପାଟଣାରେ ୪୦.୫, ନୟାଗଡ଼ରେ ୪୦.୫, ଛତ୍ରପୁରରେ ୪୦, ବାଲେଶ୍ୱରରେ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

କଟକରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୭.୭, ଚାନ୍ଦବାଲିରେ ୩୮.୭, କେନ୍ଦୁଝରଗଡ଼ରେ ୩୬.୨, ହୀରାକୁଦରେ ୩୯.୯, ଫୁଲବାଣୀରେ ୩୯.୨, ରାୟଗଡ଼ାରେ ୩୯.୧ ଓ ଭଦ୍ରକରେ ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଛି । ଅନ୍ୟପକ୍ଷରେ କାଳବୈଶାଖୀ ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି । ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ସେହିପରି ଏହି ସମୟ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଏହି ୧୮ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଉତ୍ତର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଅଧିକା ରହିପାରେ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ଅପରାହ୍ନ/ ସନ୍ଧ୍ୟା ସମୟରେ ହାଲୁକା ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking