19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ କରୁଛୁ, କିନ୍ତୁ ସ୍ୱୀକାର କରିପାରିବୁନି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ କରୁଛୁ, କିନ୍ତୁ ସ୍ୱୀକାର କରିପାରିବୁନି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୱେଷ୍ଟ ବେଙ୍ଗଲ ସ୍କୁଲ ସର୍ଭିସ୍ କମିଶନ ଅନ୍ତର୍ଗତ ପ୍ରାୟ ୨୫ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଦିଆଯାଇଥିବା ନିଯୁକ୍ତିକୁ ରଦ୍ଦ କରାଯିବା ନେଇ କୋଲକତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟଙ୍କ ରାୟ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ଏହି ମାମଲାରେ ଦୀର୍ଘ ସମୟ ଧରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଗୁରୁବାର ରାୟ ସାମ୍ନାକୁ ଆସିଛି। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା କଳୁଷିତ ଅର୍ଥାତ୍ ବେଆଇନ୍ ଉପାୟରେ ହୋଇଛି ବୋଲି ସୁପ୍ରିମକୋର୍ଟ କହିବା ସହ ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିଛନ୍ତି।

ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟା କଳୁଷିତ ଏବଂ ଦୂଷିତ। ଶିକ୍ଷକ ନିଯୁକ୍ତି ଆଳରେ ବ୍ୟାପକ ଅନିୟମିତତା ହୋଇଥିବା ପ୍ରମାଣ ମିଳିଛି। ଏପରିକି ଏହି ଅନିୟମିତତାକୁ ଲୁଚାଇବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା। ଏ ସମ୍ପର୍କିତ ସମସ୍ତ ତଥ୍ୟ ବିଷୟରେ ଖଣ୍ଡପୀଠ ଅବଗତ ହୋଇଛନ୍ତି। ଅସତ୍ ଉପାୟରେ ଯେଉଁ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି ସେମାନେ ବହିଷ୍କାର ହେବା ନିତାନ୍ତ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ନିଯୁକ୍ତ ହୋଇଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଯେତିକି ଦରମା ସେମାନେ ରାଜ୍ୟ ସରକାରଙ୍କ ଠାରୁ ପାଇଛନ୍ତି ସେମାନେ ଦରମା ଫେରସ୍ତ କରିବା ଦରକାର ନାହିଁ।

ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ଏପ୍ରକାର ରାୟ ଆସିବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏହାକୁ ନେଇ ବିଜେପି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଥିବା ବେଳେ ସିପିଏମ୍ ମଧ୍ୟ ଏଥିରେ ସ୍ୱର ମିଳାଇଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିବା ସିଧାସଳଖ କହିଛନ୍ତି। ମମତା କହିଛନ୍ତି ଯେ, ସେ ନ୍ୟାୟପାଳିକାକୁ ବହୁତ ସମ୍ମାନ କରନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ସେ ଏବଂ ତାଙ୍କ ସରକାର ସମ୍ମାନ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରାଯିବ ଏବଂ ନୂଆକରି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ। କିନ୍ତୁ ଏପ୍ରକାର ନିଷ୍ପତ୍ତିକୁ ସେ ବ୍ୟକ୍ତିଗତ ଭାବେ ଗ୍ରହଣ କରିପାରିବେ ନାହିଁ। କାରଣ ଏହା କେବଳ ୨୫ହଜାର ପ୍ରାର୍ଥୀଙ୍କ ପ୍ରସଙ୍ଗ ନୁହେଁ ଏହା ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ସେମାନଙ୍କ ପରିବାର ଲୋକଙ୍କ ଭବିଷ୍ୟତ, ଆଶାକୁ ମଧ୍ୟ ପ୍ରଭାବିତ କରିବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଚାକିରି ହରାଇଥିବା ଲୋକଙ୍କୁ ଭେଟିବେ ଏବଂ ସେମାନଙ୍କୁ ଆଶା ନ ହରାଇବାକୁ ଅନୁରୋଧ କରିବେ। ସେହିପରି ବିଜେପି ନେତାଙ୍କୁ କଡା ଜବାବ ଦେବାକୁ ଯାଇ ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଏବେ ଜେଲରେ ଅଛନ୍ତି, ବିଜେପି ଏବେ ଦେଶବାସୀଙ୍କୁ କହୁ ଯେ ମଧ୍ୟପ୍ରଦେଶ ବ୍ୟାପମ ମାମଲାରେ କେତେ ବିଜେପି ନେତାଙ୍କୁ ଗିରଫ କରାଯାଇଥିଲା। ସିପିଏମ୍ ଏବଂ ବିଜେପି ମିଳିତ ଭାବେ ପଶ୍ଚିମବଙ୍ଗର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ ଚାହୁଁଛନ୍ତି ବୋଲି ମମତା ପାଲଟା ଅଭିଯୋଗ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ମମତା ଗଣମାଧ୍ୟମକୁ ମଧ୍ୟ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ୧୫ କୋଟି ଟଙ୍କାର ନଗଦ ରାଶି ଜବତ ହେବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯଦି ବିଚାରପତିଙ୍କ ଘରୁ ଏତେମାତ୍ରାରେ ଅର୍ଥ ଜବତ ହେବା ପରେ କାର୍ଯ୍ୟାନୁଷ୍ଠାନ ନାମରେ କେବଳ ତାଙ୍କୁ ଅନ୍ୟତ୍ର ବଦଳି କରାଯାଉଛି, ତେବେ କ’ଣ ପାଇଁ ଏହି ୨୫ ହଜାର ଶିକ୍ଷକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବନି। କାହିଁକି ସେମାନଙ୍କ ନିଯୁକ୍ତିକୁ ହିଁ ରଦ୍ଦ କରିଦିଆଯାଉଛି?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking