17.1 C
Bhubaneswar
Saturday, January 11, 2025
Homeଓଡିଶାଭୋଟ୍ ଗଣନାରେ ତଞ୍ଚକତା!: ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ଅଭିଯୋଗ

ଭୋଟ୍ ଗଣନାରେ ତଞ୍ଚକତା!: ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ଅଭିଯୋଗ

ଯୋଡ଼ା : ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଞ୍ଚାୟତର ଭୋଟ ଗଣତିରେ ତଞ୍ଚକତା କରାଯାଇ ଜଣେ ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଭଦ୍ରାସାହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ୬ଜଣ ଆଶାୟୀ ପ୍ରାର୍ଥୀ ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ ଓ ବାସନ୍ତୀ ନାଏକଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ୧୪ଟି ଓା୍ୱର୍ଡର ଗଣତି ସମୟରେ ୧ରୁ ୭ନଂ ପର୍ଯ୍ୟନ୍ତ ଠିକ୍ ଗଣତି ଚାଲିଥିବାବେଳେ ୭ରୁ ୧୪ ଗଣତି ସମୟରେ କ୍ରମାନ୍ୱୟରେ ଗଣତି କରାନଯାଇ ୭ ପରେ ୯, ୯ ପରେ ୮, ୮ପରେ ୧୧, ୧୧ ପରେ ୧୦ ଏହି କ୍ରମରେ ଗଣତି କରାଯାଇ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି । ତଥାପି ଗଣତି ଶେଷରେ ବାସନ୍ତୀ ନାଏକ ୧୧୧୯ଖଣ୍ଡ ଭୋଟ୍ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରମିଳା ନାଏକ ୧୧୦୬ଖଣ୍ଡ ଭୋଟ ପାଇଥିବା ଘୋଷଣା କରାଯାଇଥିଲା । ଫଳରେ ବାସନ୍ତୀ ୧୩ଖଣ୍ଡ ଭୋଟରେ ବିଜୟ ହାସଲ କରିଥିବା ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ଭୋଟ୍‌ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରିବା ପରେ ବାସନ୍ତୀ ୧୦୬୦ଖଣ୍ଡ ଭୋଟ ପାଇଛନ୍ତି ଓ ପ୍ରମିଳା ୧୦୬୫ ଖଣ୍ଡ ଭୋଟ୍ ପାଇ ୫ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ଘୋଷଣା କରାଯାଇଥିଲା । ଏହାକୁ ନେଇ ବାସନ୍ତୀ ନିର୍ବାଚନ ଅଧିକାରୀ ତଥା ବିଡିଓ ଜଗନ୍ନାଥ ହନୁମାନଙ୍କୁ ଭୋଟ ପୁନଃଗଣତି ଓ ନାକଚ ଯାଞ୍ଚ ପାଇଁ ଲିଖିତ ଅଭିଯୋଗ କରିଥିଲେ । ଏହି ସମୟରେ ଏକ ଫୋନ୍‌କଲ୍ ଆସିବାରୁ ସେ ତାଙ୍କ ଅଭିଯୋଗ ପତ୍ରଟିକୁ ଗ୍ରହଣ ନକରି, ପୁନଃଗଣତିକୁ ଅଗ୍ରାହ୍ୟକରି ଫେରାଇ ଦେଇଥିବା ବାସନ୍ତୀ ଅଭିଯୋଗ କରିଛନ୍ତି । ଏ ନେଇ ସେ ଓ ତାଙ୍କର ସମର୍ଥକମାନେ ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭେଟି ପାରିନଥିଲେ । ୨୬ ତାରିଖ ବିଳମ୍ବିତ ରାତ୍ରୀରେ ୨୬ନଂ ଜୋନ୍‌ର ୩ଟି ପଞ୍ଚାୟତର ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ନାମ ସରକାରୀସ୍ତରରେ ଘୋଷଣା କରାଯାଇଥିବା ବେଳେ ଭଦ୍ରାସାହି ପଞ୍ଚାୟତର ଫଳାଫଳ ୨୭ ତାରିଖ ସୁଦ୍ଧା ଘୋଷଣା କରାଯାଇ ନଥିବା ବାସନ୍ତୀ ସୂଚନା ଦେଇଛନ୍ତି । ଭୋଟ ଗଣତିରେ ବ୍ୟାପକ ହେରଫେର କରାଯାଇଥିବା ନେଇ ବାସନ୍ତୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସରକାର ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ ଦେଉଥିବାବେଳେ ଏହା ସମ୍ପୂର୍ଣ୍ଣ ଭାବେ ଗଣତନ୍ତ୍ରର ହତ୍ୟା ବୋଲି ସେ କ୍ଷୋଭପ୍ରକାଶ କରିଛନ୍ତି । ଆବଶ୍ୟକ ପଡ଼ିଲେ ସେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking