31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପୁଣିଥରେ ବିବାଦ ଘେରରେ ବିବେକ ବିନ୍ଦ୍ରା

ପୁଣିଥରେ ବିବାଦ ଘେରରେ ବିବେକ ବିନ୍ଦ୍ରା

ନୂଆଦିଲ୍ଲୀ: ମୋଟିଭେସନାଲ ସ୍ପିକର, ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟିକ ଏକ୍ସପର୍ଟ ଭାବେ ଦେଶବାସୀଙ୍କ ପାଖରେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏହି ଅଭିଯୋଗ ତାଙ୍କ ପାରିବାରିକ କଳହ କାରଣରୁ ହୋଇଥିବା ଜଣାପଡିଛି । ବିବାହର ମାତ୍ର ୮ ଘଣ୍ଟା ମଧ୍ୟରେ ସେ ନିଜ ଦ୍ୱିତୀୟ ପତ୍ନୀ ୟାନିକାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ବିବେକ ବିନ୍ଦ୍ରାଙ୍କ ଶାଳକ ବୈଭବ କ୍ୱାତ୍ରା ତାଙ୍କ ବିରୋଧରେ ନୋଏଡା ସେକ୍ଟର ୧୨୬ ସ୍ଥିତ ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରମାଣସ୍ୱରୂପ ସେ କିଛି ଫଟୋ ଏବଂ ଭିଡିଓ ମଧ୍ୟ ପୁଲିସକୁ ଦେଇଛନ୍ତି । ତଦନ୍ତରେ ଏହା ସହାୟକ ହେବ ବୋଲି କୁହାଯାଉଛି ।

ବୈଭବଙ୍କ ଅଭିଯୋଗ ଅନୁସାରେ ତାଙ୍କ ଭିଣୋଇ ବିବେକ ବିନ୍ଦ୍ରା ତାଙ୍କ ଭଉଣୀ ୟାନିକାଙ୍କୁ ଡିସେମ୍ବର ୬ ତାରିଖରେ ଦିଲ୍ଲୀର ଲଳିତ ହୋଟେଲରେ ବିବାହ କରିଥିଲେ । ବିବାହ ପରେ ନବ ବିବାହିତ ଯୋଡି ନୋଏଡାର ସେକ୍ଟର ୯୪ରେ ଥିବା ସୁପରନୋଭା ୱେଷ୍ଟ ରେସିଡେନ୍ସିରେ ରହିବାକୁ ଆସିଥିଲେ । ତେବେ ବିବାହ ପରଦିନ ଅର୍ଥାତ୍ ଡିସେମ୍ବର ୭ ତାରିଖ ସକାଳେ ବିନ୍ଦ୍ରା ଏବଂ ତାଙ୍କ ମା ପ୍ରଭାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ୟାନିକା ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିନ୍ଦ୍ରା ରାଗିଯାଇ ୟାନିକାଙ୍କୁ ଏକ କୋଠରୀରେ ବନ୍ଦ କରି ଗାଳିଗୁଲଜ କରିବା ସହ ମାରପିଟ୍ କରିଥିଲେ ।

ଏଥିରେ ୟାନିକାଙ୍କ କାନ ପରଦା ମଧ୍ୟ କ୍ଷତାକତ ହୋଇଯାଇଥିଲା, ଯାହାଫଳରେ ଏବେ ସେ ଠିକ୍ ଭାବେ ଶୁଣି ମଧ୍ୟ ପାରୁନାହାନ୍ତି । ବିବେକ, ୟାନିକାଙ୍କ ମୋବାଇଲ ଫୋନ୍ ମଧ୍ୟ ଭାଙ୍ଗି ଦେଇଥିବା ବୈଭବ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ଏସବୁ ମଧ୍ୟରେ ବିନ୍ଦ୍ରା, ୟାନିକାଙ୍କୁ ମାଡ଼ ମାରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନ୍ୟପକ୍ଷେ ବିବେକଙ୍କ ବିରୋଧରେ  ଗତ ୧୪ ତାରିଖରେ ଘରୋଇ ହିଂସା ମାମଲା ମାମଲା ରୁଜୁ କରିବା ସହ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ, ୟାନିକାଙ୍କ ଘର ଉତ୍ତରପ୍ରଦେଶର ଗାଜିଆବାଦରେ ହୋଇଥିବା ବେଳେ ସେ ବିବେକଙ୍କୁ ଆରେଞ୍ଜ୍ ମ୍ୟାରେଜ୍ କରିଥିଲେ । ବିବେକଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ଏହା ପୂର୍ବରୁ ମଧ୍ୟ ବିବେକଙ୍କ ପ୍ରଥମ ପତ୍ନୀଙ୍କ ସହ ଘରୋଇ ହିଂସାଜନିତ ବିବାଦ ରହିଥିଲା, ଯାହାଫଳରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

ସୂଚନାଯୋଗ୍ୟ, ବିବେକଙ୍କ ବିରୋଧରେ ଏହା ପୂର୍ବରୁ ମଧ୍ୟ ଅନେକ ମାମଲା ରୁଜୁ ହୋଇଛି । ଅନ୍ୟତମ ୟୁଟ୍ୟୁବର ତଥା ମୋଟିଭେସନାଲ ସ୍ପିକର ସନ୍ଦୀପ ମାହେଶ୍ୱରୀ, ବିବେକଙ୍କ ବିରୋଧରେ ୫ଠଠ କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ଆଣିଥିଲେ । ୟୁଟ୍ୟୁବ୍‌ରେ ମଲ୍ଟି ଲେବଲ୍ ମାର୍କେଟିଙ୍ଗ୍ ସମ୍ପର୍କରେ ଏକ କୋର୍ସ (ପାଠ୍ୟକ୍ରମ) ଆଳରେ ବ୍ୟବସାୟ ସମ୍ପର୍କରେ ପଢ଼ିବାକୁ ଚାହୁଁଥିବା ଛାତ୍ର ଛାତ୍ରୀଙ୍କ ଠାରୁ ମୋଟା ଅଙ୍କର ଫିସ୍ ଆଦାୟ କରିଥିଲେ ଯାହାର ପରିମାଣ ୫ଠଠ କୋଟି ହେବ ବୋଲି ସନ୍ଦୀପ ମାହେଶ୍ୱରୀ ଅଭିଯୋଗ କରିଥିଲେ । କିନ୍ତୁ ବିନ୍ଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।

ସେହିପରି ଜୁନ୍ ୨ଠ୨୨ରେ ଶିଖ୍ ସମ୍ପ୍ରଦାୟର ପ୍ରମୁଖ ସନ୍ଥ ଗୁରୁ ଗୋବିନ୍ଦ ସିଂହ ସାହିବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହାପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡିଥିଲା । ଏହାପୂର୍ବରୁ ୨ଠ୧୮ରେ ମଧ୍ୟ  ଦେଶର ଡାକ୍ତରମାନଙ୍କୁ ଅପଶବ୍ଦ କହି ଗାଳିଗୁଲଜ କରିଥିବା ଅଭିଯୋଗରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ) ବିବେକ ବିନ୍ଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ୫ଠ କୋଟିର ମାନହାନୀ ମୋକଦ୍ଦମା ଦାୟର କରିଥିଲା । କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେବାରୁ ବିବେକ ବିନ୍ଦ୍ରା ବର୍ତ୍ତିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking