37.1 C
Bhubaneswar
Saturday, May 18, 2024
Homeଓଡିଶା୧୦ ବର୍ଷ ହେଲା ଦୁର୍ଦ୍ଦଶାରେ ୫ ଗାଁ'

୧୦ ବର୍ଷ ହେଲା ଦୁର୍ଦ୍ଦଶାରେ ୫ ଗାଁ’

କନ୍ଧମାଳ: ଗାଁ’ର ବିକାଶ ନେଇ ଡ଼ିଣ୍ଡିମ ପିଟୁଥିବା ପ୍ରଶାସନର ଅସଲ ଚେହେରା ପଦାକୁ ଆସିବାରେ ଲାଗିଛି । ଦୁର୍ଗମ ଅଞ୍ଚଳରେ ବିକାଶର ଚିତ୍ରରୁ ହିଁ ଏହା ସ୍ପଷ୍ଟ ହୋଇଛି । ବିଶେଷ କରି ଯାତାୟାତକୁ ସୁଗମ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ଠିକାଦାର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରୁ ଏଥିରେ କେଁ ରହିଯାଉଛି । ନିମ୍ନମାନର କାମ ଯୋଗୁ ନିର୍ମାଣର ବର୍ଷେ ପରେ ଏକ ପୋଲ ଭାଙ୍ଗିଯାଇଥିବାରୁ ୧୦ ବର୍ଷ ହେଲା ୫ ଗାଁର ଲୋକେ ଦୁର୍ଦ୍ଦଶା ଭୋଗୁଥିଲେ ବି ବିଭାଗୀୟ ଅଧିକାରୀ ଆଖି ବୁଜି ଦେଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସିର୍ତ୍ତିଗୁଡ଼ା ପଞ୍ଚାୟତର ୬ ନମ୍ବର ୱାର୍ଡ଼ର କମାଙ୍ଗି ଓ ୭ ନମ୍ବର ୱାର୍ଡ଼ର ସିଗେରପାକାଲ, ଡ଼ଗମାହା, ତିଲକପଡ଼ି ଆଦି ଗ୍ରାମକୁ ସଂଯୋଗ କରୁଛି ବଲାପକାରି ନାଳ । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବିପରେ ୧୦ ବର୍ଷ ତଳେ ୧୦ ଲକ୍ଷ ଟଙ୍କା ଅନୁଦାନରେ ଏକ ପୋଲ ନିର୍ମାଣ ହୋଇଥିଲା । ନିର୍ମାଣର ବର୍ଷେ ପରେ ସେହି ପୋଲ ଭାଙ୍ଗିଯାଇଛି ।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ, କମାଙ୍ଗି ଗ୍ରାମରୁ ସିଗେରପାକାଲ, ଡ଼ଗମାହା, ତିଲକପଡ଼ି ଆଦି ଗ୍ରାମକୁ ସଂଯୋଗ କରୁଥିବା ବଲାପକାରି ନାଳ ଉପରେ ବିନା ସୂଚନା ଫଳକରେ ଏହି ପୋଲ ନିର୍ମାଣ ହୋଇଥିଲା । ସେହି ସମୟରେ ନିମ୍ନମାନର କାମ ଦେଖି ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ନିର୍ମାଣର ବର୍ଷେ ପରେ ନଦୀରେ ପ୍ରବଳ ପାଣି ଆସିବାରୁ ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଫଳରେ ନାଳ ଆର ପାରିଲେ ଥିବା ପାଞ୍ଚଖଣ୍ଡ ଗ୍ରାମର ଲୋକେ ନୂଆଗାଁ ବଜାରକୁ ହେଉ କିମ୍ବା ପଞ୍ଚାୟତ କାର୍ଯାଳୟକୁ ଯାତାୟାତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ସେତିକି ନୁହେଁ, ନିଜର ଦୌନନ୍ଦିନ କାର୍ଯ୍ୟପାଇଁ ହେଉ କିମ୍ବା ବାହାରକୁ ରୋଜଗାର ପାଇଁ ଯିବା ଅସୁବିଧା ହେଉଛି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀ ପାଇଁ ମଧ୍ୟ ଜୀବନକୁ ବାଜି ଲଗାଇ ବର୍ଷାଦିନେ ନଦୀ ଭିତରେ ପଶି ଯିବା ଆସିବା କରୁଛନ୍ତି । ସେହିଭଳି ଗ୍ରାମର ଛାତ୍ରଛାତ୍ରୀ ଓ କଲେଜ ପଢୁଆ ପିଲାମାନେ ମଧ୍ୟ ନାନା ସମସ୍ୟାରେ ପଡୁଛନ୍ତି । ଅଙ୍ଗନବାଡି ପିଲାମାନେ ବି ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି ।

ନାଳପାରି କରି କମାଙ୍ଗି ଗ୍ରାମର ଥିବା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାତାୟାତ କରୁଛନ୍ତି ଛୋଟ ପିଲାମାନେ । ବର୍ତ୍ତମାନ କରୋନା ଯୋଗୁଁ ବନ୍ଦଥିଲେ ମଧ୍ୟ ଏହା ତାଙ୍କର ବର୍ଷ ବର୍ଷର ରାସ୍ତାବୋଲି ପ୍ରକାଶ କରିଛନ୍ତି । ବର୍ଷା ଚାରିମାସ ବଗାଡ଼ି ନଦୀର ଜଳ ଏହି ନାଳରେ ପ୍ରବାହିତ ହେବାରୁ ସ୍ରୋତ ପ୍ରଖର ହେଉଛି । ଫଳରେ ଛାତ୍ରଛାତ୍ରୀ ଓ ଲୋକଙ୍କ ଯିବା ଆସିବା ବନ୍ଦ ରହୁଛି । ଏହି ସମୟରେ କେହି ରୋଗରେ ପଡ଼ିଲେ ଭଗବାନ ଭରସା । ଗାଁକୁ ଆମ୍ବୁଲାନ୍ସ ସେବା ମିଳୁନି । ୧୦ ବର୍ଷ ହେଲା ଗ୍ରାମବାସୀ ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ ବି ସୁଫଳ ମିଳୁନି ବୋଲି ଗ୍ରାମର ଅନନ୍ତ ପ୍ରଧାନ । ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କରୋନା ପାଇଁ ସଚେତନ କରିବାକୁ ଆସିପାରୁନାହାନ୍ତି ବୋଲି କହିଛନ୍ତି ଗ୍ରାମର ପ୍ରଶାନ୍ତ ପ୍ରଧାନ ।

ଅନ୍ୟପକ୍ଷରେ ୧୦ ଲକ୍ଷ ଟଙ୍କାର ପୋଲ ବର୍ଷେ ଭିତରେ ଭାଙ୍ଗିଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରବିନ୍ଦ୍ର ପ୍ରଧାନ । ଏହାର ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି । ବେଳଥାଉଥାଉ ଯଦି ବ୍ଳକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ ନକରନ୍ତିି ତାହାହେଲେ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଗାଁର ସୁକାନ୍ତ ପ୍ରଧାନ ଓ ଅନ୍ୟମାନେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking