ପୁଣି ମିଳିଲା ୧୨୦ଗ୍ରାମ ସୁନା, ୩୨ହଜାର ଟଙ୍କା
ଭୁବନେଶ୍ୱର: ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ବିଶ୍ୱଜିତ ମହାପାତ୍ରଙ୍କ ସମ୍ପତ୍ତିର ଭିଜିଲାନ୍ସ ଖୋଳତାଡ କରୁଛି । ଶନିବାର ତାଙ୍କ ସୁନ୍ଦରଗଡ ବାସଭବନରୁ ପୁଣି ୧୨୦ଗ୍ରାମ ସୁନା ଓ ନଗଦ ୩୨ହଜାର ଟଙ୍କା ଜବତ ହୋଇଛି । ଏଥିସହ ତାଙ୍କର ସମୁଦାୟ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ବାହାରିଥିବା ଜଣାପଡ଼ିଛି । ତେବେ ଏଥିମଧ୍ୟରୁ କେତେ ଆୟ ବର୍ହିଭୂତ, ସେନେଇ ଭିଜିଲାନ୍ସର ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କ କନସଲଟାଣ୍ଟ ଓ ଆର୍ôଥକ ଶାଖା ହିସାବ କରୁଛନ୍ତି । ରବିବାର ତାଙ୍କର ବେଆଇନ ସମ୍ପତ୍ତି ବାବଦରେ ସବିଶେଷ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏହାସହ ଶ୍ରୀ ମହାପାତ୍ରଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା ଚଳାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ କରିଥିଲା ।
ତାଙ୍କର ସୁନ୍ଦରଗଡ଼ ସ୍ଥିତ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସୂଚନା ଅନୁଯାୟୀ, ବିଶ୍ୱଜିତଙ୍କ ବିରୋଧରେ ମାଳମାଳ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଭୁବନେଶ୍ୱର ଏକ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ । ୱାରେଣ୍ଟ ବଳରେ ଭିଜିଲାନ୍ସର ୭ଜଣିଆ ଟିମ୍ ଶୁକ୍ରବାର ସୁନ୍ଦରଗଡ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ କରିଥିଲେ । ଏହିସବୁ ସ୍ଥାନରେ ଯାଞ୍ଚ କରିବା ପରେ ଶ୍ରୀ ମହାପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ମୋଟ୍ ୧୦କୋଟିରୁ ଊର୍ଦ୍ଧ୍ୱର ସମ୍ପତ୍ତି ଠାବ ହୋଇଥିବା ଆକଳନ କରାଯାଇଛି ।
ସେଥିମଧ୍ୟରୁ ଭୁବନେଶ୍ୱର, ନହରକଣ୍ଟାରେ ୮୯ଲକ୍ଷ ଟଙ୍କାର ଏକ ଦୁଇମହଲା କୋଠା, ରସୁଲଗଡ ଆସିଆନା ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍, ଭୁବନେଶ୍ୱର ଏବଂ ଜଗତସିଂହପୁରରେ ୧୦ଟି ପ୍ଲଟ୍ , ୨କୋଟି ୪୨ଲକ୍ଷର ବ୍ୟାଙ୍କ ଫିକ୍ସ ଡିପୋଜିଟ୍, ଜମା, ଇନ୍ସୁରାନ୍ସ, ମ୍ୟୁଚୁଆଲ୍ ଫଣ୍ଡ୍ ବାହାରିଛି । ଏହାବାଦ୍ ଭୁବନେଶ୍ୱର ବାଲିଅନ୍ତାରେ ଶ୍ରୀ ମହାପାତ୍ର ତାଙ୍କ ସ୍ତ୍ରୀଙ୍କ ନାମରେ ଏକ ସିମେଣ୍ଟ ଗୋଦାମ କରିଛନ୍ତି ।