ଭୁବନେଶ୍ୱର: ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପ୍ରାୟ ଦେଢ ମାସ ଧରି ସେ ଚିକିତ୍ସିତ ହେଉଥିଲେ । କିଛିଦିନ ପୂର୍ବରୁ ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଥିଲା । ମାତ୍ର ୬୩ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କ ଦେହାନ୍ତରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ମିହିର ଦାସଙ୍କର ବିୟୋଗରେ ଓଡିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମସ୍ତେ ତାଙ୍କର ଦୀର୍ଘକାମନା କରୁଥିଲେ । ସେ ଯଲଦି ସୁସ୍ଥ ହୋଇ ଫେରନ୍ତୁ ବୋଲି ଚାହୁଁଥିଲେ । ମାତ୍ର ବିଧିର ବିଧାନ ବୋଧହୁଏ କିଛି ଅଲଗା ଥିଲା । ଯେଉଁଥିପାଇଁ ସେ ଜୀବନ ସହ ସଂଗ୍ରାମ କରି ଶେଷରେ ହାରି ଯାଇଛନ୍ତି । ତେବେ ଅନେକ ଲୋକପ୍ରିୟ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ମିହିର ଦାସ । ତାଙ୍କ ଅଭିନୟରେ ଯାଦୁ ଥିଲା । ପ୍ରତି ଚରିତ୍ରକୁ ସେ ଜୀବନ୍ତ କରିବାକୁ ସବୁବେଳେ ଚେଷ୍ଟା କରୁଥିଲେ । ୧୧ ଫେବୃୟାରୀ ୧୯୫୯ ମସିହାରେ ବାରିପଦାରେ ସେ ଜନ୍ମଗ୍ରହଣ କରିଥିଲେ । ୬୩ ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୮୦ରେ ରାମାୟଣ, ଫିଲ୍ମରୁ ମିହିର କ୍ୟାରିଅର ଆରମ୍ଭ କରିଥିଲେ । ପୁଅ ମୋର ଭୋଳାଶଙ୍କରରେ ମନଛୁଆଁ ଅଭିନୟ ସେ କରିଥିଲେ ।