16.1 C
Bhubaneswar
Thursday, January 16, 2025
Homeଓଡିଶାଧ୍ୱଂସ ପାଉଛି ମୂଲ୍ୟବାନ ଜଙ୍ଗଲ, ସଙ୍କଟରେ ବନ୍ୟପ୍ରାଣୀ

ଧ୍ୱଂସ ପାଉଛି ମୂଲ୍ୟବାନ ଜଙ୍ଗଲ, ସଙ୍କଟରେ ବନ୍ୟପ୍ରାଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ସଙ୍କଟ ଅବସ୍ଥାରେ । ଜଙ୍ଗଲ ପଦା ହେବାରୁ ଜନବସତି ମୁହାଁ ହୋଇ ମଣିଷଙ୍କ ଶିକାର ଦ୍ୱାରା ବନ୍ୟପ୍ରାଣୀମାନେ ପ୍ରାଣ ହରାଉଛନ୍ତି । ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ କର୍ମଚାରୀ ଅଭାବ, କାଠ ମାଫିଆ ଓ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ମଧ୍ୟ ବଢି ଚାଲିଛି । ଯେଉଁଥି ପାଇଁ ବନ୍ୟପ୍ରାଣୀ ଲୋପ ହେବାରେ ଲାଗିଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୪୦ବର୍ଷ ତଳେ କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ଗଠିତ ହୋଇଥିବା ବେଳେ ୨୦୦୩ ଅକ୍ଟୋବର ୧ରେ କେନ୍ଦୁଝର ବନଖଣ୍ଡ ଡିଭିଜନକୁ ଦୁଇଭାଗ କରି ନୂତନ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଗଠିତ ହୋଇଥିଲା ।

ଏହି ନୂତନ ଡିଭିଜନ ଅଧୀନରେ ଦୈତାରୀ, ଦେଓଗାଁ, ହଦଗଡ଼ ହସ୍ତୀ ଅଭୟାରଣ୍ୟ ଏବଂ ଆନନ୍ଦପୁର ରେଞ୍ଜ ରହିଛି । ସମୁଦାୟ ୯୬,୮୨୪.୦୫୫୨ହେକ୍ଟର ଜଙ୍ଗଲ ଅଞ୍ଚଳ ମଧ୍ୟରୁ ପ୍ରାୟ ୭୦,୭୭୩ ହେକ୍ଟର ରିଜର୍ଭ ଜଙ୍ଗଲ ଓ ୨୧୪.୦୭ ହେକ୍ଟର ସଂରକ୍ଷିତ ରିଜର୍ଭ ଜଙ୍ଗଲ ରହିଥିବା ବେଳେ ଅବଶିଷ୍ଟ ରାଜସ୍ୱ ଗ୍ରାମ୍ୟ ଓ ଅନ୍ୟାନ୍ୟ ଶ୍ରେଣୀଭୁକ୍ତ ଜଙ୍ଗଲ ରହିଛି । ପ୍ରାୟ ୧୧ହଜାର ହେକ୍ଟର ପରିମିତ ହଦଗଡ଼ ଅଭୟାରଣ୍ୟ ପଡୋଶୀ ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ସୀମାକୁ ଲାଗିଛି । ଆନନ୍ଦପୁର ରେଞ୍ଜ ଅଧୀନରେ ଥିବା ୧୩ହଜାର ହେକ୍ଟର ପରିମିତ ବରାଙ୍ଗ ଜଙ୍ଗଲ ହରିଣଙ୍କ ଆଶ୍ରୟସ୍ଥଳୀ ହୋଇଥିବା ବେଳେ ଉକ୍ତ ଜଙ୍ଗଲରେ ପ୍ରାୟ ୧୦୦ ହରିଣ ରହିଥିବା କୁହାଯାଉଛି ।

ଉକ୍ତ ଜଙ୍ଗଲାଞ୍ଚଳକୁ ହରିଣ ଅଭୟାରଣ୍ୟ ଭାବେ ଘୋଷଣା କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ସୁରକ୍ଷା ଅଭାବରୁ ହରିଣମାନେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହୋଇ ବୁଲା କୁକୁରଙ୍କ ଆକ୍ରମଣରେ ମୃତ୍ୟୁବରଣ କରୁଛନ୍ତି । ପ୍ରତିବର୍ଷ ଏହିଭଳି ଦୁଇ ତିନୋଟି ହରିଣ ପ୍ରାଣ ହରାଉଛନ୍ତି । ସେହିପରି କେନ୍ଦୁଝର ଡିଭିଜନରେ ଆବଶ୍ୟକ ବନରକ୍ଷୀ ନଥିବାରୁ କାଠମାଫିଆଙ୍କୁ ମୁକାବିଲା କରାଯାଇ ପାରୁନାହିଁ । ବଡବିଲ ଓ ଚମ୍ପୁଆ ରେଞ୍ଜ ଅଞ୍ଚଳରୁ ନିୟମିତ ଭାବେ ଲୁହାପଥର ଏବଂ ମାଙ୍ଗାନିଜ ଚୋରା କାରବାର ହେଉଛି । ଏହାକୁ ରୋକିବାରେ ବନ ବିଭାଗ ଫେଲ୍ ମାରିଛି ।

ବନ ବିଭାଗ ଜଙ୍ଗଲ ସୁରକ୍ଷା ଦିଗରେ ପଦକ୍ଷେପ ନେଉନଥିବାରୁ ଦୀର୍ଘବର୍ଷର ବହୁ ସଂରକ୍ଷିତ ଜଙ୍ଗଲ ଧ୍ୱଂସ ଦିଗକୁ ଗତି କରୁଥିବାବେଳେ ଏଠାରେ ବସବାସ କରୁଥିବା ବିରଳ ପ୍ରଜାତିର ପଶୁ ଓ ପକ୍ଷୀଙ୍କ ଜୀବନ ସଂକଟଜନକ ଅବସ୍ଥା ସୃଷ୍ଟି ହୋଇଛି । ସଂରକ୍ଷିତ ଜଙ୍ଗଲମାନଙ୍କର ବହୁ ପୁରାତନ ଶାଳ, ପିଆଶାଳ, ଶିଶୁ, ଅସନ, ଗମ୍ଭାରୀ, ଆମ୍ବ, ପଣସ, ନିମ୍ବ ଆଦି କିସମର ବୃକ୍ଷ ଧରାଶାୟୀ ହେବା ସହ ଏହି ଜଙ୍ଗଲରେ ରହୁଥିବା ଜୈବ ମଣ୍ଡଳ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଛି । ବିସ୍ତୃତ ଜଙ୍ଗଲ ଓ ବନ୍ୟପ୍ରାଣୀ ତଥା ପରିବେଶ ଜୈବମଣ୍ଡଳର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking