ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହେବାର ଥିବାରୁ ଟିକାକରଣରେ ଅନିଶ୍ଚିତତା ଦେଖାଦେଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ମେ ମାସରେ କୋଭିସିଲ୍ଡ ଟିକା ପହଂଚିବା ସମ୍ଭାବନା କ୍ଷୀଣ ରହିଛି । ତେବେ ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । ଟିକା ଆସିବା ପରେ ହିଁ ଟିକାକରଣ ଆରମ୍ଭ କରାଯିବ । କୋଭିସିଲ୍ଡ ଟିକା ପାଇଁ ଗତକାଲି ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି । ଫେଜ୍ ୩ ଟିକାକରଣ ପାଇଁ କାଲିଠାରୁ ପଂଜୀକରଣ ଆରମ୍ଭ ହେବ । କୋୱିନ ପୋର୍ଟାଲକୁ ଯାଇ ସମସ୍ତେ ପଂଜୀକରଣ କରିପାରିବେ । କିନ୍ତୁ ଟିକା ନେବା ପାଇଁ ଏବେ ସ୍ଲଟ ଆପଏଣ୍ଟମେଣ୍ଟ ମିଳିବ ନାହିଁ । ଟିକା ଆସିଲେ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦିଆଯିବ ।
ସୂଚନାଯୋଗ୍ୟ , ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ତାଲିକା ଚିନ୍ତା ବଢାଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ଉପରେ ରହିଛି। ଗତକାଲି ରାଜ୍ୟରୁ ୬୫୯୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛନ୍ତି ୬ ହଜାର ୭୩ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୯୨ ସଂକ୍ରମିତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି।
ଆଜି ବଲାଙ୍ଗିରରୁ ୪୫୭, ନୂଆପଡ଼ାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧, ଝାରସୁଗୁଡ଼ାରୁ ୩୫୯, ବରଗଡ଼ରୁ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝରରୁ ୨୬୬, ଅନୁଗୁଳରୁ ୨୩୯, ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮ ଏବଂ ଷ୍ଟେଟ୍ ପୁଲରୁ ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭, ରାୟଗଡ଼ାରୁ ୭୭, ଗଜପତିରୁ ୭୯, କୋରାପୁଟରୁ ୭୬, ସୁବର୍ଣ୍ଣପୁରରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ- ୫୦,୯୫୮ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୬୭ ହଜାର ୧୧୧। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।