ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ । ୨୦୧୬ରେ ଏହା ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ (ନାକ୍) ‘ଏ+’ ଗ୍ରେଡ୍ ପାଇଥିଲା । ଦୀର୍ଘ ୬ ବର୍ଷ ପରେ ନାକ ଦଳ ବିଶ୍ୱବିଦ୍ୟାଳୟ ଅନୁଧ୍ୟାନରେ ଆସିଥିଲେ । ବିଶ୍ୱବିଦ୍ୟାଳୟରେ ଏଥର ଭିତ୍ତିଭୂମି କ୍ଷେତ୍ରରେ ଅନେକ ସୁଧାର ଆସିଥିବାରୁ କର୍ତ୍ତୃପକ୍ଷ ନାକ ‘ଏ++’ ଗ୍ରେଡ୍ ପାଇଁ ଆଶା ରଖିଥିଲେ । ହେଲେ ନାକ୍ ରିପୋର୍ଟ ପରେ ସେ ଆଶା ମଉଳିଯାଇଛି । ‘ଏ++’ ଗ୍ରେଡ୍ ମିଳିବା ଦୂର କଥା ‘ଏ+’ ମାନ୍ୟତା ବଜାୟ ରଖିପାରିଲାନି ଉତ୍କଳ ବିଶ୍ୱବିଦ୍ୟାଳୟ । ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ‘ଏ’ ଗ୍ରେଡ୍ । ପୂର୍ବାପେକ୍ଷା ଭିତ୍ତିଭୂମି ସୁଦୃଢ଼ୀକରଣ ସତ୍ତ୍ୱେ ନାକ ମାନ୍ୟତା ଖସିବା ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଏବଂ କର୍ତ୍ତୃପକ୍ଷଙ୍କୁ ଚକିତ କରିଛି ।
ଶିକ୍ଷାବିତ୍ଙ୍କ ମତରେ ରିସର୍ଚ୍ଚ ସ୍କଲାର ନବାହାରିବା, ଅନ୍ତର୍ଜାତୀୟସ୍ତରର ଗବେଷଣା ନହେବା, ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ନାକ୍ ଗ୍ରେଡ୍ ହ୍ରାସର କାରଣ । ଅନ୍ୟପକ୍ଷରେ ଏଥର ଗ୍ରେଡ୍ ଖସିବା ନେଇ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଭିତ୍ତିଭୂମି ଥିବା ସତ୍ତ୍ୱେ ଏହା କାର୍ଯ୍ୟକାରୀ ହେଉନି । ଗବେଷଣାରେ ବିଶ୍ୱବିଦ୍ୟାଳୟ ପଛରେ ପଡ଼ିଛି । ଆବଶ୍ୟକ ପ୍ରଫେସର୍ ଓ ଅଧ୍ୟାପକ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ର।
ସୂଚନା ଅନୁସାରେ, ଗତମାସ ୧୯ରୁ ତିନିଦିନିଆ ଉତ୍କଳ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ନାକ ଦଳ । ପ୍ରଫେସର ଆର୍.ଏମ୍.ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ନାକ୍ ଦଳରେ ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ସଦସ୍ୟ ସଂଯୋଜକ ରହିଥିବାବେଳେ ପ୍ରଫେସର ଜଗତ ଭୂଷଣ ନଡ଼ା, ପ୍ରଫେସର ସଞ୍ଜୟ କୁମାର ଓ ପ୍ରଫେସର ରେଣୁ ଭରଦ୍ୱାଜ ସଦସ୍ୟ ରହିଥିଲେ । ତିନିଦିନଧରି ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲେ ଦଳର ସଦସ୍ୟ । ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ କନ୍ଭୋକେସନ୍ ହଲ୍ରେ ଆୟୋଜିତ ଆଲୋଚନାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ଅନୁଭୂତି ଓ ସମସ୍ୟା ସମ୍ପର୍କରେ ମତ ରଖିଥିଲେ । ସେହିପରି ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ମଧ୍ୟ ଏହି ଦଳ ଆଲୋଚନା କରିଥିଲା । ବିଶ୍ୱବିଦ୍ୟାଳୟକୁ ଗ୍ରେଡ୍ ଦେବାରେ ଏହି ସମସ୍ତ ମତାମତକୁ ଦଳ ବିଚାରକୁ ନେଇଥିଲା ।
୩ ଦିନ ମଧ୍ୟରେ ନାକ୍ ଦଳ ଏକାଡେମିକ, ଆଡମିନିଷ୍ଟ୍ରେସନ୍, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢ଼ା କିଭଳି ହେଉଛି, କେତେ ପିଲା ଗବେଷଣା କରୁଛନ୍ତି, ନୂଆ ଗବେଷଣାଗତ ଭିତ୍ତିଭୂମି, ବିଭାଗଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ ବିଷୟ ତଦାରଖ କରିଥିଲେ । ଏହାବ୍ୟତୀତ କୁଳପତି, କୁଳସଚିବ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ, ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ଉନ୍ନତିକରଣ ଲାଗି କ’ଣ ସବୁ ଖସଡ଼ା ପ୍ରସ୍ତୁତ ହୋଇଛି ଓ ଆଗାମୀ ଦିନରେ ଆଉ କ’ଣ ସବୁ ଯୋଜନା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । ରାଜ୍ୟର ନାଁ କରିଥିବା ତଥା ସରକାରଙ୍କ ଦ୍ୱାରା ପରିଚାଳିତ ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ ଗ୍ରେଡିଂରେ ତଳକୁ ଖସିବା ନେଇ ବ୍ୟୁରୋକ୍ରାଟ୍ଙ୍କୁ ଦାୟୀ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ । ସେ ଅଭିଯୋଗ କରିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟୁରୋକ୍ରାଟ୍ଙ୍କ ଅହେତୁକ ହସ୍ତକ୍ଷେପ ସହ ଏକାଡେମୀରେ ବ୍ୟୁରୋକ୍ରାଟ୍ ନିଯୁକ୍ତହେବା ପରେ ପାଠପଢ଼ା ବାତାବରଣ ନଷ୍ଟ ହୋଇଛି ।
ଯଦି ବ୍ୟୁରୋକ୍ରାଟଙ୍କ ହସ୍ତକ୍ଷେପ ନ ହଟେ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରେଡିଂ ଆହୁରି ତଳକୁ ଯିବ । ଦିନ ଆସିବ ସରକାର କୁଳପତି ପଦବୀରେ ପ୍ରଶାସକଙ୍କୁ ବସାଇବେ । ନାକ୍ ମାନ୍ୟତା ପାଇବାକୁ ହେଲେ ତଦାରଖ କରିବାକୁ ଆସିଥିବା କମିଟିକୁ ଉନ୍ନତ ଭିତିଭୂମି ସହ ବିଶ୍ୱବିଦ୍ୟାଳୟର ନୂଆ ଗବେଷଣା ଓ ନୂଆ ବହି କ’ଣ ତିଆରି ହୋଇଛି ଦେଖାଇବାକୁ ପଡ଼ିଥାଏ । ରିସର୍ଚ୍ଚ ଓ ପବ୍ଲିକେସନ ଛଡ଼ା ଛାତ୍ରଛାତ୍ରୀଙ୍କ ସାମାଜିକ ଯୋଗଦାନ, ପଦବୀ ପୂରଣ ପ୍ରଭୃତିଙ୍କୁ ଟିମ୍ ଦେଖିଥାଏ । ଯେହେତୁ ୨୦୧୬ ପରଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ବିଧିବ୍ୟବସ୍ଥା ବଦଳାଇ ଦିଆଯାଇଛି, ତେଣୁ ଗ୍ରେଡିଂ ଖସିଛି ବୋଲି ବୋଲି ଶ୍ରୀ ରଥ କହିଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି, ବିଶ୍ୱବିଦ୍ୟାଳୟ କ୍ରୀଡ଼ା କ୍ଷେତ୍ରରେ କୌଣସି ଯୋଗଦାନ ଦେଉନି । କ୍ୟାମ୍ପସରେ ଥିବା ବିଶାଳ ଷ୍ଟାଡିୟମରେ ତାଲାପଡ଼ିଛି । ସେହିପରି ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍, ଜିମ୍ରେ ବି ତାଲା ପଡ଼ିଛି । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି । ସେପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ କଳି ନାକ୍ ଗ୍ରେଡିଂ ତଳକୁ ଖସିବାର କାରଣ ହୋଇଛି । ତେଣୁ ସରକାର ଭିତ୍ତିଭୂମିକୁ ସଜାଡ଼ନ୍ତୁ ଓ ପୁନଃ ନାକ୍ ଟିମ୍ ତଦାରଖ କରୁ ।