ସମ୍ବଲପୁର: ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) କାର୍ଯ୍ୟକ୍ରମ ଅଧୀନରେ ଏବେ ଆଉ ଏକ ବୃହତ୍ ପଦକ୍ଷେପ ଗ୍ରହଣ କରିଛି । ଏମ୍ସିଏଲ୍ ପକ୍ଷରୁ “ଉଜ୍ଜ୍ୱଳ ଝାରସୁଗୁଡ଼ା – ଏମ୍ସିଏଲ୍ କି ଏକ ପେହଲ୍” ଶୀର୍ଷକ ଏକ କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରାୟ ୧୦୦ ଯୁବକ ଯୁବତୀଙ୍କୁ ୟୁପିଏସ୍ସି/ଓପିଏସ୍ସି ଭଳି ପ୍ରତିଯୋଗିତା ପାଇଁ କୋଚିଂ ସୁବିଧା ପ୍ରଦାନ କରାଯିବ ।
ଗୁରୁବାର ବ୍ରଜରାଜନଗର କଲେଜରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ଏମ୍ସିଏଲ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଏ କାଓଲେ, ଝାରସୁଗୁଡା ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରଭାଣେ, ଜିଲ୍ଲା ଏସ୍ପି ପରମାର ସ୍ମିତ ପରଷୋତ୍ତମଦାସ ଏବଂ ଏମ୍ସିଏଲ୍ର ନିର୍ଦ୍ଦେଶକ (ପର୍ସନାଲ) କେଶବ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏମ୍ସିଏଲ୍ର ଏହି ପଦକ୍ଷେପ ଝାରସୁଗୁଡା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ଆକାଂକ୍ଷାକୁ ସାକାର କରିବା ଦିଗରେ ସମର୍ପିତ । ଏହା ୟୁପିଏସ୍ସି, ଓପିଏସ୍ସି, ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ବାବଦ ସମସ୍ତ ଖର୍ଚ୍ଚ ବହନ କରିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିବର୍ଷ ୧୦୦ଟି ମନୋନୀତ ଛାତ୍ରଛାତ୍ରୀ ୨ଟି ପ୍ରମୁଖ ସ୍ଥାନ ଯଥା ବ୍ରଜରାଜନଗର କଲେଜ, ବ୍ରଜଜନଗର ଏବଂ ଲକ୍ଷ୍ମୀ ନାରାୟଣ କଲେଜ, ଝାରସୁଗୁଡ଼ା ଠାରେ ଦିଆଯିବାକୁ ଥିବା ମାଗଣା କୋଚିଂ ବ୍ୟବସ୍ଥା ଦ୍ୱାରା ଉପକୃତ ହେବେ । ଉଚ୍ଚମାନର ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ପ୍ରସିଦ୍ଧ ଅନୁଷ୍ଠାନଗୁଡ଼ିକ ଦ୍ୱାରା କୋଚିଂ ବିତରଣ କରାଯିବ ।
ପ୍ରକାଶ, ଉଜ୍ଜ୍ୱଳ ଝାରସୁଗୁଡ଼ା – ଏମ୍ସିଏଲ୍ କି ଏକ ପେହଲ’ ବ୍ୟତୀତ ଏମ୍ସିଏଲ୍ ପକ୍ଷରୁ ଭୁବନେଶ୍ୱର ଠାରେ ଏମ୍ସିଏଲ-ସୁପର ୫୦ ନାମରେ ମଧ୍ୟ ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସୁବିଧା ସୁଯୋଗରୁ ବଞ୍ଚିତ ତଥା ଅବହେଳିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସେମାନଙ୍କ ସ୍ୱପ୍ନ ସାକାର ଦିଗରେ ସହାୟତା କରିବା ପାଇଁ ଏମ୍ସିଏଲ୍ ପଦକ୍ଷେପ ଗ୍ରହଣ କରିଆସୁଛି । ଏମ୍ସିଏଲ୍ର “ଉଜ୍ଜ୍ୱଳ ଭବିଷ୍ୟତ” କାର୍ଯ୍ୟକ୍ରମ ଶୈକ୍ଷିକ ସୁଯୋଗକୁ ବ୍ୟାପକ କରିବା ଏବଂ ପ୍ରଭାବଶାଳୀ ସିଏସ୍ଆର୍ କାର୍ଯ୍ୟକଳାପ ମାଧ୍ୟମରେ ସାମାଜିକ ବିକାଶରେ ଯୋଗଦାନ ଦେବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇଥାଏ ।