କନ୍ଧମାଳ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳାରୁ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତାରୋକ କରିଛନ୍ତି । ଫଳରେ ଶହ ଶହ ଗାଡି ମଟର ଅଟକି ରହିଛି । ମୃତକ ଶଗଡିଆ ସାହିର ସୁମନ୍ତ ଦିଗାଲ ବୋଲି ଜଣାପଡିଛି । ଶଗଡିଆ ସାହି ନିକଟ ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଡାକ୍ତରମାନଙ୍କୁ କ୍ଲିନିକରେ ବସିବା ବନ୍ଦ କରାଯାଉ ବୋଲି ଦାବି କରିଥିଲେ । କ୍ଲିନିକରେ ବସି ଡାକ୍ତରମାନେ ଟଙ୍କା ପାଉଥିବାରୁ ସଠିକ୍ ସମୟରେ ଡାକ୍ତରଖାନାକୁ ଆସୁନାହାନ୍ତି । ଡାକ୍ତର ସଠିକ୍ ସମୟରେ ଚିକିତ୍ସା କରିନଥିବାରୁ ନାବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରେ ରାସ୍ତା ଅବରୋଧର ଖବର ପାଇ ଫୁଲବାଣୀ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ରେଡକ୍ରସ ପାଣ୍ଠିରୁ କିଛି ସହାୟତା ମିଳିବା ପରେ ରାସ୍ତା ଅବରୋଧ ହଟିଛି ।