22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶସବୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ: ପିଲାଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯାଉ

ସବୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ: ପିଲାଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯାଉ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡ୍‌ଭିୟା ସୋମବାର କୋଭିଡ୍ ପ୍ରସଙ୍ଗ ନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଦେଶରୁ ଏପର୍ଯ୍ୟନ୍ତ କୋଭିଡ୍‌ର ଆତଙ୍କ ଶେଷ ହୋଇନଥିବାବେଳେ ଏହାକୁ ଅଣଦେଖା ନ କରିବାକୁ ସମୀକ୍ଷା ବୈଠକରେ ସେ ପରାମର୍ଶ ଦେଇଛନ୍ତି । ତେଣୁ ସଂକ୍ରମଣ ରୋକିବାକୁ ପିଲାଙ୍କ ଟିକାକରଣ ସାଙ୍ଗକୁ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଅଭିଯାନକୁ ତ୍ୱରାନ୍ୱିତ କରିବା ଉପରେ ମାଣ୍ଡ୍‌ଭିୟା ଗୁରୁତ୍ୱାରୋପ କରିଛନ୍ତି ।

ଏଥିସହିତ ନୂତନ ଭାରିଆଣ୍ଟ୍‌କୁ ଚିହ୍ନଟ କରିବା ନିମନ୍ତେ ଜେନୋମ୍ ସିକ୍ୱେନ୍ସିଂକୁ ମଧ୍ୟ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ବର୍ତ୍ତମାନ କେତେକ ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ୍ ପ୍ରଟୋକଲକୁ କଡାକଡି ପାଳନ କରିବା ସହ ସତର୍କ ରହିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି । କୋଭିଡ୍ ପରୀକ୍ଷଣକୁ ବୃଦ୍ଧି କରାଗଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ ୫ଟି ଗୁରୁତ୍ୱପୂର୍ଣ୍ଣ ରଣନୀତି ଯଥା ପରୀକ୍ଷଣ, ଅନୁଧ୍ୟାନ, ଚିକିତ୍ସା, ଟିକାକରଣ ଏବଂ କୋଭିଡ୍ ପ୍ରଟୋକଲ ପାଳନ ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମାଣ୍ଡ୍‌ଭିୟା କହିଛନ୍ତି ।

ବିଦେଶରୁ ଆସିଥିବା ଲୋକଙ୍କ ଉପରେ ନଜର ରଖିବା ସହ ସେମାନଙ୍କର କୋଭିଡ୍ ପରୀକ୍ଷଣ କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ୧୨ରୁ ୧୭ ବର୍ଷ ବୟସ ବର୍ଗର ପିଲାମାନେ ନିର୍ଦ୍ଧାରିତ ସମୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଲେ ସେମାନେ ସ୍କୁଲ, କଲେଜ ଯିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking