ନୂଆଦିଲ୍ଲୀ : ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସମ୍ବନ୍ଧୀୟ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛି । ଏବେ କେନ୍ଦ୍ର ଅତିଶୀଘ୍ର ଏହି ଅଧ୍ୟାଦେଶକୁ ସଂସଦରେ ଉପସ୍ଥାପିତ କରିବ । ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏହାକୁ ସଂସଦରେ ବିରୋଧ କରିବ । ଏହି ମାମଲାରେ ଆପ୍କୁ ବିରୋଧୀ ଦଳଙ୍କ ସମର୍ଥନ ମଧ୍ୟ ରହିଛି । ଅସଲରେ କେନ୍ଦ୍ର ସରକାର ମେ ୧୯ ତାରିଖରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତିକୁ ନେଇ ଅଧ୍ୟାଦେଶ ଜାରୀ କରିଥିଲା ।
ଅଧ୍ୟାଦେଶରେ କେନ୍ଦ୍ର ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଥିଲା । ମେ’ ୧୧ ତାରିଖର ସୁପ୍ରିମ୍କୋର୍ଟ ନିଷ୍ପତ୍ତି ଅନୁସାରେ ଏହି ବଦଳି ଓ ନିଯୁକ୍ତି କ୍ଷମତା ଦିଲ୍ଲୀ ସରକାରକୁ ମିଳିଥିଲା । ଏହି ଅଧ୍ୟାଦେଶ ଜରିଆରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କ୍ଷମତା କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କୁ ପ୍ରଦାନ କରିଥିଲା । ଦିଲ୍ଲୀ ସରକାର ଏହା ବିରୋଧରେ ସୁପ୍ରିମ୍କୋର୍ଟ ପହଞ୍ଚିଥିଲେ । ଜୁଲାଇ ୧୭ରେ ମାମଲାକୁ ନେଇ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ସେ ଏହାକୁ ପାଞ୍ଚ ଜଜ୍ ବିଶିଷ୍ଟ ସାମ୍ବିଧାନିକ ବେଞ୍ଚ୍କୁ ପଠାଇବାକୁ ଚାହୁଁଛନ୍ତି । କେନ୍ଦ୍ର ଏ ପ୍ରକାର ସଂଶୋଧନ କରିପାରିବ କି ନାହିଁ ସମ୍ବିଧାନ ବେଞ୍ଚ୍ ତାହା ସ୍ଥିର କରିବ ।