17.1 C
Bhubaneswar
Thursday, January 16, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍ ସହର ଉପରେ ଜୋର୍‌ଦାର ଆକ୍ରମଣ : ବ୍ରୋଭାରୀରେ ରେସିଡେନ୍ସିଆଲ୍ ବିଲ୍ଡିଂ ଧ୍ୱଂସ

ୟୁକ୍ରେନ୍ ସହର ଉପରେ ଜୋର୍‌ଦାର ଆକ୍ରମଣ : ବ୍ରୋଭାରୀରେ ରେସିଡେନ୍ସିଆଲ୍ ବିଲ୍ଡିଂ ଧ୍ୱଂସ

କିଭ୍‌ : ୟୁକ୍ରେନ୍ ଯୁଦ୍ଧ ୫୨ ଦିନରେ ପ୍ରବେଶ କରିଥିବା ବେଳେ ରୁଷ୍ ସେନା ୟୁକ୍ରେନ୍‌ର ବଡ଼ ବଡ଼ ସହର ଉପରେ ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି । ରବିବାର ସକାଳେ ଏକ ମିସାଇଲ୍ ମାଡ଼ରେ ରାଜଧାନୀ କିଏଭ୍ ନିକଟବର୍ତ୍ତୀ ସହର ବୋଭାରୀରେ ଏକ ରେସିଡେନ୍ସିଆଲ୍ ବିଲ୍ଡିଂ ଧ୍ୱଂସ ହୋଇଛି। ବ୍ରୋଭାରୀ ମେୟର୍ ଇଗୋର୍ ସାପୋଝ୍‌କୋ ଏକ ଅନ୍‌ଲାଇନ୍ ପୋଷ୍ଟ୍‌ରେ ଏହି ସୂଚନା ଦେଇଛନ୍ତି । ତେବେ ଧନଜୀବନ ହାନି ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ । ରୁଷ୍‌ର ଏକ ସୀମାନ୍ତ ଅଞ୍ଚଳ ବ୍ରିୟାନ୍‌ସ୍କ ଉପରେ ୟୁକ୍ରେନ୍‌ର ଏୟାର୍‌ଷ୍ଟ୍ରାଇକ୍ ପରେ ୟୁକ୍ରେନ୍ ରାଜଧାନୀ କିଏଭ୍ ଉପରେ ଆକ୍ରମଣକୁ ରୁଷ୍ ସେନା ଜୋର୍‌ଦାର କରିଛି । ଏହି ଆକ୍ରମଣ କେବଳ ସାମରିକ ପ୍ରତିଷ୍ଠାନ ଉପରେ କରାଯାଉଥିବା ମସ୍କୋ ପକ୍ଷରୁ କୁହାଯାଉଥିଲେ ବି ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଛି ।

ରାଜଧାନୀ ଉପରେ ରୁଷ୍‌ର ଏହି ନୂଆ ମିସାଇଲ୍ ଆକ୍ରମଣ ପରେ କିଏଭ୍ ନଫେରିବା ପାଇଁ ମେୟର୍ ବିଟାଲି କ୍ଲିତ୍‌ଶ୍ଚକ୍ ୟୁକ୍ରେନ୍‌ବାସୀଙ୍କୁ ଅନୁରୋଧ କରିଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି ରାଜଧାନୀର ଆଖପାଖ ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ବିଛାଯାଇଥିବା ବେଳେ ଏହି ଆକ୍ରମଣ ଆଗକୁ ଜାରି ରହିବା ସମ୍ଭାବନା ରହିଛି । ରାଜଧାନୀର ଦାରନିତ୍‌ସ୍କି ଜିଲ୍ଲାରୁ ଏହି ଏୟାର୍‌ଷ୍ଟ୍ରାଇକ୍ କରାଯାଇଥିବା ବେଳେ ରାଜଧାନୀରେ ପ୍ଲାଣ୍ଟ କରାଯାଇଥିବା ସାମରିକ ଯାନକୁ ଟାର୍ଗେଟ୍ କରାଯାଇଥିବା ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ଅନ୍ୟପକ୍ଷରେ ୟୁକ୍ରେନ୍‌ର ଦକ୍ଷିଣରେ ଥିବା ବନ୍ଦର ସହର ମାରିଉପୋଲ୍‌କୁ ରୁଷ୍ ସେନା ନିୟନ୍ତ୍ରଣକୁ ନେଇଥିବା ମସ୍କୋ ପକ୍ଷରୁ ଦାବି କରାଯାଇଛି । ସହରୀ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଖାଲି କରିଦିଆ ଯାଇଥିବା ବେଳେ ୟୁକ୍ରେନ୍ ସୈନିକଙ୍କ ଏକ ଛୋଟ ଦଳ ଏକ ଷ୍ଟିଲ୍ ଫ୍ୟାକ୍ଟ୍ରି ମଧ୍ୟରେ ରହିଥିବା ରୁଷ୍ ପକ୍ଷରୁ କୁହାଯାଇଛି । ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ପରଠାରୁ ରୁଷ୍ କବ୍‌ଜାକୁ ଆସିଥିବା ଏହା ୟୁକ୍ରେନ୍‌ର ପ୍ରଥମ ବଡ଼ ସହର । ଏହି ସହରରେ ରୁଷ୍ ଓ ୟୁକ୍ରେନ୍ ସେନା ମଧ୍ୟରେ ଭୀଷଣ ସଂଘର୍ଷ ଘଟିଥିବା ବେଳେ ବହୁ ଧନଜୀବନ ମଧ୍ୟ ନଷ୍ଟ ହୋଇଛି ।

ୟୁକ୍ରେନ୍ ରାଷ୍ଟ୍ରପତି ବୋଲୋଡିମିର ଜେଲେନ୍‌ସ୍କି ଏକ ନ୍ୟୁଜ୍ ପୋର୍ଟାଲ୍‌କୁ କହିଛନ୍ତି, ମାରିଉପୋଲ୍‌ରେ ପରିସ୍ଥିତି ବହୁ ଭୟଙ୍କର । ଆମ ସୈନିକଙ୍କୁ ସେଠାରେ ରୋକାଯାଇଛି । ଏପରି କି ଆହତ ନାରିକମାନଙ୍କୁ ମଧ୍ୟ ରୁଷ୍ ସେନା ସେଠାରେ ଅଟକାଇ ରଖିଛି । ସେଠାରେ ମାନବୀୟ ସଂକଟ ସୃଷ୍ଟି ହୋଇଛି । ତଥାପି ଆମ ସୈନିକ ଓ ନାଗରିକମାନେ ନିଜ ସୁରକ୍ଷା କରୁଛନ୍ତି ।

ଯୁଦ୍ଧରେ ପ୍ରାୟ ୩୦୦୦ ୟୁକ୍ରେନ୍ ସୈନିକ ମୃତ
ଏହି ଯୁଦ୍ଧରେ ଅତିକମ୍‌ରେ ୨୫୦୦ରୁ ୩୦୦୦ ୟୁକ୍ରେନୀ ସୈନିକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୦ ହଜାର ଆହତ ହୋଇଥିବା ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଏକ ଆକଳନରେ କୁହାଯାଇଛି । ସେହିପରି ୭୦୦ ୟୁକ୍ରେନ୍ ସୈନିକ ଓ ଏକ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କୁ ରୁଷ୍ ସେନା ବନ୍ଦୀ କରିଥିବା ଏଥିରେ କୁହାଯାଇଛି । ଅନ୍ୟପକ୍ଷରେ ସମାନ ସଂଖ୍ୟକ ରୁଷ୍ ସୈନିକଙ୍କୁ ୟୁକ୍ରେନ୍ ବନ୍ଦୀ କରିଛି ବୋଲି କୁହାଯାଇଛି । ରୁଷ୍ ସେନା ଦ୍ୱାରା ବନ୍ଦୀ ହୋଇଥିବା ସାଧାରଣ ନାଗରିକଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବା ପାଇଁ ୟୁକ୍ରେନ୍ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking