ଦେବଗଡ : ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବାସହ ଦୁଷ୍କର୍ମ ଭିଡିଓ ଭାଇରାଲ କରିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୋଗର ମାତ୍ର ୧୨ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲା ବାଂଶପାଣି ଥାନାଞ୍ଚଳରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାଞ୍ଚଳରୁ ଜଣେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଗତ ଏପ୍ରିଲ ୩୦ ତାରିଖ ଦିନ ବାରକୋଟ ଥାନାଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ଉକ୍ତ ଗ୍ରାମର ଲକ୍ଷ୍ମଣ ମହନ୍ତଙ୍କ ପୁଅ ଶିବ ମହନ୍ତ (୨୪) ନିଜ ସାଙ୍ଗ ବମ୍ପରଡ଼ା ଗ୍ରାମର ରବି ମହାକୁଳଙ୍କ ପୁଅ ବିଜୁ ମହାକୁଳ (୨୬) ଏକୁଟିଆ ପାଇ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରିଥିଲେ । ଏଥିସହ ଘଟଣା ସମ୍ପର୍କରେ କାହାରିକୁ କହିଲେ ଭିଡିଓ ଭାଇରଲ କରିବାର ଧମକ ଦେଇଥିଲେ । ଫଳରେ ମହିଳା ଜଣକ ଲୋକ ଲଜ୍ଜ୍ୟା ଭୟରେ ଏକଥା କାହାରି ଆଗରେ ପ୍ରକାଶ ନକରି ଚୁପ ରହିବା ସହ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ନିଜ ବାପ ଘରକୁ ଚାଲି ଯାଇଥିଲେ । ତେବେ ଅଭିଯୁକ୍ତମାନେ ଫୋନ କରି ଉକ୍ତ ଗ୍ରାମକୁ ନ ଆସିଲେ ଭିଡିଓ ଭାଇରଲ କରିବାର ଧମକ ଦେଇ ଆସୁଥିଲେ । ତେବେ ମହିଳା ଜଣକ ଏଥିପ୍ରତି ଗୁରୁତ୍ୱ ନଦେବାରୁ ଅଭିଯୁକ୍ତମାନେ ମହିଳାଙ୍କ ଦୁଷ୍କର୍ମ ବେଳର ଭିଡିଓକୁ ହ୍ୱାଟ୍ସଆପ୍ରେ ଭାଇରାଲ କରିଥିଲେ । ଏ ନେଇ ମହିଳା ଜଣକ ଅନ୍ୟ ଜିଲ୍ଲାରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କୁ ଘଟଣା ସମ୍ପର୍କରେ କହିବା ପରେ ମଙ୍ଗଳବାର ପୀଡିତାଙ୍କ ସହ ବାରକୋଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଦେବଗଡ଼ ଏସ୍ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ତୁରନ୍ତ ଦୁଇଟି ସ୍ୱତନ୍ତ୍ର ଦଳ ଗଠନକରି ନିଜେ ଏବଂ ବାରକୋଟ ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ବାରକୋଟ ଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।