ଭୁବନେଶ୍ୱର: ମହିଳାଙ୍କ ଠାରୁ ମୋବାଇଲ ଚୋରି ଆଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋଭ୍ୟାଲି ଥାନା ପୁଲିସ । ସେମାନେ ହେଲେ ଜଟଣୀ ଥାନା ଅଞ୍ଚଳର ଜିତେନ୍ଦ୍ର ରାଉତରାୟ ଓରଫ ଜିତୁ(୨୩) ଏବଂ ସୋମନାଥ ପ୍ରଧାନ(୨୨) । ସୂଚନାଯୋଗ୍ୟ ଯେ, ଗତ କାଲି ୧୦ଟା ବେଳେ ମହିଳା ଜଣଙ୍କ ଗଙ୍ଗପଡା ଗ୍ରାମରେ ଥିବା ତାଙ୍କର ଦୋକାନ ଆଗରେ ଠିଆ ହୋଇଥିଲେ । ସେହି ସମୟରେ ଯୁବକ ଦୁହେଁ ଗୋଟିଏ ମୋଟରସାଇକେଲରେ ପଛ ପାର୍ଶ୍ୱରୁ ତାଙ୍କ ନିକଟକୁ ଆସିଥିଲେ ଏବଂ ଆକ୍ରମଣ କରିବା ସହ ତାଙ୍କର ମୋବାଇଲ ଫୋନଟି କୁ ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଅଭିଯୋଗକାରିଣୀ ଏନେଇ ଇନଫୋଭ୍ୟାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିବା ସହ ଆଜି ଦୁଇ ଯୁବକଙ୍କୁ ପିତାପଲ୍ଲୀ ଅଞ୍ଚଳରୁ କାବୁକରିବାରେ ସକ୍ଷମ ହୋଇଥିଲେ । ପୁଲିସ ସେମାନଙ୍କଠାରୁ ମୋବାଇଲ ଫୋନ ଓ ଅପରାଧରେ ବ୍ୟବହୃତ ମୋଟରସାଇକେଲ ଜବତ କରିବା ପରେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ ।ସେମନଙ୍କ ଆପରାଧୀକ ସମ୍ପୃକ୍ତି ଯାଞ୍ଚ ବେଳେ ଦୁହିଁଙ୍କ ନାମରେ ଜଟଣୀ ଥାନାରେ ୮ଟି ଲୁଟ ଓ ଅସ୍ତ୍ରଶସ୍ତ୍ର ଜନିତ ମାମଲା ଥିବା ଜଣା ପଡିଥିଲା । ତେଣୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।