ରାଞ୍ଚି: ଝାଡଖଣ୍ଡ ଦେଓଘର ଜିଲ୍ଲାରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । ମୃତକମାନେ ଜଣେ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିଲେ । ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ଦୁର୍ବୃତ୍ତମାନେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ଦୁହେଁ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜେ ଶହୀଦ ହୋଇଯାଇଛନ୍ତି । ମୃତ ପୋଲିସକର୍ମୀ ହେଲେ ସନ୍ତୋଷ ଯାଦବ ଏବଂ ରବି ମିଶ୍ର । ଏନେଇ ଆଜି ଦେଓଘର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ବ୍ୟବସାୟରେ ପତିଆରାକୁ ନେଇ ଦେଓଘରରେ ମାଛ ବ୍ୟବସାୟୀମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ଏନେଇ କିଛି ଦିନ ତଳେ ଦୁର୍ବୃତ୍ତମାନେ ସୁଧାକର ଝା ନାମକ ବ୍ୟବସାୟୀଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।
ଏଥିପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ସନ୍ତୋଷ ଯାଦବ ଏବଂ ରବି ମିଶ୍ର ଏହି ମାଛ ବ୍ୟବସାୟୀଙ୍କ ଅଙ୍ଗରଙ୍ଗୀ ଭାବେ ନିୟୋଜିତ ହୋଇଥିଲେ । ଗତକାଲି ରାତିରେ ଦେଓଘର ଶ୍ୟାମଗଞ୍ଜ ରୋଡରେ କିଛି ଦୁର୍ବୃତ୍ତ ବ୍ୟବସାୟୀ ସୁଧାରକଙ୍କ ଉପରେ ଗୁଳି ଚଳାଇଥିଲେ । ଏହାର ଜବାବ ଦେବାକୁ ଯାଇ ପାଲଟା ଗୁଳି ଚାଳନା କରିଥିଲେ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ପୋଲିସ କର୍ମୀ। ଏହି ସଂଘର୍ଷ ମଧ୍ୟରେ ସେମାନଙ୍କ ଦେହରେ ଗୁଳି ବାଜିଥିଲା ଓ ଘଟଣାସ୍ଥଳରେ ଉଭୟ ପ୍ରାଣ ହରାଇଥିଲେ । ତେବେ ଏଥିରେ ବ୍ୟବସାୟୀଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା ମିଳିଛି ।