ବାରମୂଳା : ଜମ୍ମୁ-କଶ୍ମୀରର ବାରମୂଳାରୁ ଲସ୍କର-ଏ-ତୋଇବା ସହିତ ଜଡ଼ିତ ଦୁଇଜଣ ଆତଙ୍କୀ ଗିରଫ ହୋଇଛନ୍ତି । ଏହି ଦୁଇଜଣ କ୍ରେରୀ ଗାଁର ଏକ ବସ୍ଷ୍ଟପ୍ ନିକଟରେ ଛିଡ଼ା ହୋଇଥିଲେ । କଶ୍ମୀର ପୁଲିସ ଅନୁସାରେ ଦୁଇ ଆତଙ୍କୀଙ୍କ ନାମ ଦାୟେମ୍ ମଜିଦ୍ ଖାନ୍ ଏବଂ ଉବେର୍ ତାରିକ୍ । ଦୁହେଁ ଲସ୍କର୍ ସହିତ ଜଡ଼ିତ ଥିବା ସ୍ୱୀକାର କରିବା ସହିତ ଟାର୍ଗେଟ୍ କିଲିଂ ପାଇଁ ଗୋଳା-ବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରୁଥିବା କହିଛନ୍ତି । ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଚୀନ୍ ନିର୍ମିତ ପିସ୍ତଲ, ଦୁଇଟି ମାଗ୍ଜିନ୍, ୧୪ ଜୀବନ୍ତ ଗୁଳି, ଗୋଟିଏ ଆଇଡି କାର୍ଡ ଓ ଗୋଟିଏ ଆଧାର କାର୍ଡର ଫଟୋକପି ଜବତ କରିଛି ।
ପୁରସ୍କାର ଫେରାଇବା ଉପରେ ଲଗାମ ପାଇଁ ପ୍ରସ୍ତୁତି
ଦେଶରେ ଗତ କିଛିବର୍ଷ ହେବ ପୁରସ୍କାର ଫେରାଇବା ଚଳଣୀ ଜୋର୍ ଧରିଛି । ଏହା ଉପରେ ଲଗାମ ଲଗାଇବା ଉଦ୍ଦେଶ୍ୟରେ ପାର୍ଲାମେଣ୍ଟାରୀ କମିଟି ଅଣ୍ଡରଟେକିଂ ଫର୍ମ ପୂରଣ ପାଇଁ ସୁପାରିସ କରିଛି । କମିଟିର କହିବା ଅନୁସାରେ ପୁରସ୍କାର ପାଇବାକୁ ଥିବା ବିଜେତା ଭବିଷ୍ୟତରେ ପୁରସ୍କାର ଫେରାଇବେ ନାହିଁ ବୋଲି ପ୍ରଥମରୁ ହିଁ ଏକ ଫର୍ମରେ ସେମାନଙ୍କ ସ୍ୱାକ୍ଷର ନେବା ଆବଶ୍ୟକ । ପୁରସ୍କାର ଫେରାଇବା ପ୍ରସଙ୍ଗକୁ କମିଟି ଦେଶ ପ୍ରତି ଅପମାନ ବୋଲି କହିଛି । ଏହା ଦ୍ୱାରା ପୁରସ୍କାର ପ୍ରତିଷ୍ଠା ଉପରେ ପ୍ରଭାବ ପଡ଼ୁଥିବା କମିଟି କହିଛି । ଏହି କମିଟିରେ ଲୋକସଭାର ୨୧ ଏବଂ ରାଜ୍ୟସଭାର ୧୦ ସଦସ୍ୟ ରହିଛନ୍ତି । ରାଜ୍ୟସଭା ସାଂସଦ ତଥା ୱାଇଏସ୍ଆର୍ କଂଗ୍ରେସର ବରିଷ୍ଠ ନେତା ବି ବିଜୟସାୟ ରେଡ୍ଡୀ ସଂସ୍କୃତି ମନ୍ତ୍ରଣାଳୟ ସହିତ ଜଡ଼ିତ ସଂସଦର ଏହି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଅଛନ୍ତି ।