ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନା ନେଉନି । କେତେବେଳେ ଖଟିଆ ଭରସା ତ ଆଉ କେତେବେଳେ ଷ୍ଟ୍ରେଚର । କେତେବେଳେ ନଦୀ ପାର ହୋଇ ଗର୍ଭବତୀ ଆସୁଛନ୍ତି ତ ପୁଣି ଆଉ କେତେବେଳେ ଘଞ୍ଚ ଜଙ୍ଗଲରେ ରାସ୍ତା ନଥିବାରୁ ଚାଲି ଚାଲି ଆସୁଛନ୍ତି । ଆଜି ମଧ୍ୟ ସେହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶାରାଫାସ ଗ୍ରାମରେ । ସେହି ଗ୍ରାମର ସାମୁଦୁ ମାଝୀଙ୍କ ପତ୍ନୀ ବାସନ୍ତୀ ମାଝୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ସ୍ୱାମୀ ସାମୁଦୁ ମାଝୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ଶାରାଫାସ ଗ୍ରାମ ଅଭିମୁଖେ ବାହାରିଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ଶାରାଫାସ ଗ୍ରାମକୁ ରାସ୍ତା ନଥିବାରୁ ୨ କିଲୋମିଟର ଦୂର ବାସୁଙ୍ଗମାଳି ଠାରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ,ଦୀର୍ଘ ୨କିଲୋମିଟର ଚାଳିବାପରେ ଗାଁରେ ପହଞ୍ଚି ତାଙ୍କ ସ୍ୱାମୀ ସାମୁଦୁ ମାଝୀଙ୍କ ସହାୟତାରେ ଷ୍ଟ୍ରେଚରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ବାସନ୍ତୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲାର ଅନେକ ସ୍ଥାନରେ ଏଭଳି ଜନନୀ ଯନ୍ତ୍ରଣା ଘଟୁଥିଲେ ବି ପ୍ରଶାସନର ନିଦ ଭାଙ୍ଗୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।