ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରକେଟ୍ ଲର୍ଣ୍ଣିଂର ସହଯୋଗରେ ଆୟୋଜିତ ଦୁଇଦିନିଆ ଜାତୀୟ ଇସିସିଇ ଓ ଶିକ୍ଷା ସମ୍ମିଳନୀ ଆଜି ଭୁବନେଶ୍ୱରର ଲାଇଫ୍ ହୋଟେଲ୍ସଠାରେ ସମ୍ପନ୍ନ ହୋଇଛି। ରାଜ୍ୟରେ ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (ଇସିସିଇ)କୁ ସୁଦୃଢ଼ କରିବା ପାଇଁ ଆନ୍ତଃବିଭାଗୀୟ ସମନ୍ୱୟ ଓ ସାମୂହିକ ପଦକ୍ଷେପ ଉପରେ ସମ୍ମିଳନୀରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
ସମ୍ମିଳନୀର ଦ୍ୱିତୀୟ ଦିନରେ ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସମେତ ବିଭିନ୍ନ ପ୍ରମୁଖ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଜନ୍ମ ରୁ ୬ ବର୍ଷ ବୟସର ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ସମ୍ପର୍କରେ ବିଚାରବିମର୍ଶ କରିଥିଲେ।
ପ୍ରତ୍ୟେକ ଶିଶୁ ତା’ର ମୂଳଦୁଆ ବର୍ଷଗୁଡ଼ିକରେ ଗୁଣାତ୍ମକ ପୁଷ୍ଟି, ସ୍ୱାସ୍ଥ୍ୟସେବା, ସ୍ନେହପୂର୍ଣ୍ଣ ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷାର ସୁଯୋଗ ପାଇପାରିବା ନିମନ୍ତେ ଅନୁଷ୍ଠାନଗତ ସହଯୋଗକୁ ସୁଦୃଢ଼ କରିବା, ବିଭାଗୀୟ ପ୍ରାଥମିକତାଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବା ଏବଂ ଏକ ସମନ୍ୱିତ ଢାଞ୍ଚା ଗଠନ କରିବା ଉପରେ ଆଲୋଚନା କେନ୍ଦ୍ରିତ ଥିଲା।
ଶିଶୁର ସାମଗ୍ରିକ ବିକାଶ ପାଇଁ ଆନ୍ତଃବିଭାଗୀୟ ସମନ୍ୱୟ
ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦରସୱାଲ, ରାଜ୍ୟର ଇସିସିଇ ଲକ୍ଷ୍ୟକୁ ଆଗେଇ ନେବାରେ ବିଭିନ୍ନ ବିଭାଗର ସାମୂହିକ ପ୍ରୟାସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ଅଧିବେଶନର ମୁଖ୍ୟ ଆକର୍ଷଣ ଥିଲା ଏକ ଉଚ୍ଚସ୍ତରୀୟ ଆଲୋଚନା। ଆନ୍ତଃବିଭାଗୀୟ ସହଯୋଗର ସୁଯୋଗ, ବିଦ୍ୟମାନ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ ଏବଂ ସମଗ୍ର ଓଡ଼ିଶାରେ ପ୍ରାରମ୍ଭିକ ଶିଶୁ ବିକାଶକୁ ସହାୟତା କରିବା ପାଇଁ ଅନୁଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ପର୍କରେ ବିଚାରବିମର୍ଶ କରିବା ପାଇଁ ଏହି ଗୋଲଟେବୁଲ ଆଲୋଚନା ବରିଷ୍ଠ ଅଧିକାରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିଥିଲା।
ସାମୂହିକ ବିଭାଗୀୟ ପଦକ୍ଷେପ ମାଧ୍ୟମରେ ସମନ୍ୱୟର ସୁଦୃଢ଼ୀକରଣ
ଏହି ଆଲୋଚନାରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦରସୱାଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍. ତିରୁମଳା ନାଏକ ; ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନ୍, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ; ଏସସିଇଆରଟିର ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାହୁ, ଆଇଏଏସ୍; ମହିଳା ଓ ଶିଶୁ ବିକାଶ ବିଭାଗର ଆଇସିଡିଏସ୍ ଓ ସମାଜ କଲ୍ୟାଣ ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ, ଅଂଶଗ୍ରହଣ କରିଥିଲେ।
ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ରାଜ୍ୟର ପ୍ରାରମ୍ଭିକ ଶିଶୁ ବିକାଶ ପ୍ରାଥମିକତାଗୁଡ଼ିକୁ ସହାୟତା କରିବା ପାଇଁ ସମନ୍ୱିତ ପଦକ୍ଷେପର ସୁଯୋଗ ଚିହ୍ନଟ କରିବା ଉପରେ ବିଚାରବିମର୍ଶ କେନ୍ଦ୍ରିତ ଥିଲା। ମୂଳଦୁଆ ବର୍ଷରେ ଥିବା ଶିଶୁମାନଙ୍କ ପାଇଁ ଏକ ବ୍ୟାପକ ବ୍ୟବସ୍ଥା ଗଢ଼ି ତୋଳିବା ନିମନ୍ତେ ବିଭାଗୀୟ ପ୍ରୟାସଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ, ବିଦ୍ୟମାନ ଅନୁଷ୍ଠାନଗତ ମଞ୍ଚଗୁଡ଼ିକର ସଦୁପଯୋଗ ଏବଂ ସହଭାଗୀ ଦାୟିତ୍ୱବୋଧ ପ୍ରତିଷ୍ଠାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା।
ଆଗାମୀ କାର୍ଯ୍ୟପନ୍ଥା: ଓଡ଼ିଶାର ରଣନୈତିକ ପ୍ରାଥମିକତା ନିର୍ଦ୍ଧାରଣ
ଦୁଇଦିନିଆ ବିଚାରବିମର୍ଶରୁ ଉଦ୍ଭୂତ ମୁଖ୍ୟ କାର୍ଯ୍ୟବିନ୍ଦୁ ଓ ରଣନୈତିକ ପ୍ରାଥମିକତାଗୁଡ଼ିକୁ ଚିହ୍ନଟ କରିବା ଉପରେ ଏହି ଅଧିବେଶନ କେନ୍ଦ୍ରିତ ଥିଲା। ନିରନ୍ତର ଆନ୍ତଃବିଭାଗୀୟ ସହଯୋଗ ଓ ସମନ୍ୱିତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଇସିସିଇ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହା ଦିଗଦର୍ଶନ ପ୍ରଦାନ କରିଥିଲା।
ପ୍ରାରମ୍ଭିକ ଶିଶୁ ବିକାଶକୁ ରାଜ୍ୟର ବିକାଶ କାର୍ଯ୍ୟସୂଚୀର କେନ୍ଦ୍ରରେ ରଖିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଏହି ଦୁଇଦିନିଆ ଜାତୀୟ ଇସିସିଇ ଓ ଶିକ୍ଷା ସମ୍ମିଳନୀ ପୁନଃଦୃଢ଼ କରିଛି। ପ୍ରତ୍ୟେକ ଶିଶୁର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ଓ ପୁଷ୍ଟି, ସମ୍ବେଦନଶୀଳ ଯତ୍ନ, ପ୍ରାରମ୍ଭିକ ଉଦ୍ଦୀପନା, ଖେଳଭିତ୍ତିକ ଶିକ୍ଷା, ସଶକ୍ତ ଅଙ୍ଗନୱାଡ଼ି କର୍ମୀବାହିନୀ, ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ଦୃଢ଼ ସମନ୍ୱୟ ଉପରେ ଆଧାରିତ ଏକ ନିରନ୍ତର ଯତ୍ନ ବ୍ୟବସ୍ଥା ଆବଶ୍ୟକ ବୋଲି ସମ୍ମିଳନୀରେ ଦର୍ଶାଯାଇଥିଲା।
ଓଡ଼ିଶାର ପ୍ରତ୍ୟେକ ଶିଶୁ ପାଇଁ ଏକ ଦୃଢ଼ ମୂଳଦୁଆ ସୁନିଶ୍ଚିତ କରିବା ଏବଂ ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଦିଗରେ ସରକାରୀ ଅନୁଷ୍ଠାନ ଓ ବିକାଶ ସହଯୋଗୀମାନଙ୍କ ମଧ୍ୟରେ ଏକ ସହଭାଗୀ ଦୃଷ୍ଟିକୋଣ ଓ ସାମୂହିକ ପ୍ରତିବଦ୍ଧତା ଗଢ଼ି ତୋଳିବାରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି ବୋଲି ବିଭାଗୀୟ ଅଧିକାରୀ ମତ ପ୍ରକାଶ କରିଛନ୍ତି।










