26.1 C
Bhubaneswar
Thursday, November 12, 2026
Homeଓଡିଶାଗଞ୍ଜାମ ବନ୍ୟାର ବ୍ୟବସ୍ଥିତ ପରିଚାଳନା ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀଙ୍କ ସାମ୍ବାଦିକ...

ଗଞ୍ଜାମ ବନ୍ୟାର ବ୍ୟବସ୍ଥିତ ପରିଚାଳନା ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବନ୍ୟା,ବାତ୍ୟାର ପ୍ରକୋପ କିପରି ହେବ ; ଆମେ ତାହା ପୂର୍ବାନୁମାନ ଲଗାଇଥାଉ। ନିର୍ଦ୍ଦିଷ୍ଟ ତଥା ନିଖୁଣ ଭାବେ ପାଣିପାଗ ସମ୍ବନ୍ଧୀୟ ଆକଳନ କରିବା ଯଦିଓ କଷ୍ଟସାଧ୍ୟ ; ତଥାପି ସମସ୍ତ ପ୍ରକାର ପୂର୍ବ-ପ୍ରସ୍ତୁତି ନିମନ୍ତେ ଆମେ ସର୍ବଦା ସଚେତନ ଥାଉ। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ Heavy Rainfall ବା ଭାରୀ ବର୍ଷାର ପରିମାଣ ୬୪.୫ ମିମିରୁ ୧୧୫.୫ ମିମି, Very Heavy Rainfall ବା ଅତି ପ୍ରବଳ ବର୍ଷାର ପରିମାଣ ୧୧୫.୬ ମିମିରୁ ୨୦୪.୪ ମିମି, ପ୍ରବଳରୁ ଅତି ପ୍ରବଳ ବର୍ଷାର ପରିମାଣ ୨୦୪.୫ ମିମିରୁ ଅଧିକ ହୋଇଥାଏ। ଚଳିତ ବର୍ଷର ଅନୁଭବ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଇତିହାସରେ ଏପରି ଅତି ପ୍ରବଳ ବର୍ଷା ହୋଇନଥିଲା। ଉପଲବ୍ଧ ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଅକ୍ଟୋବର ୨୮ ତାରିଖରେ ୮୩.୧ ମିମି, ୨୯ ତାରିଖରେ ୧୯୧ ମିମି, ୩୦ ତାରିଖରେ ୬୩.୪ ମିମି ଏବଂ ଏହି ତିନିଦିନରେ ସମଗ୍ର ଜିଲ୍ଲାରେ ହାରାହାରି ୩୩୭.୬ ମିମି ବୃଷ୍ଟିପାତ ରେକର୍ଡ଼ ହୋଇଥିଲା। ତେବେ, କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବୃଷ୍ଟିପାତର ପରିମାଣ ଖୁବ୍ ଅଧିକ ହୋଇଥିଲା। ଗଞ୍ଜାମର ପାତ୍ରପୁର ବ୍ଲକରେ ୨୮ ତାରିଖରେ ୮୯.୪ ମିମି ବର୍ଷା ହୋଇଥିବା ବେଳେ ଅକ୍ଟୋବର ୨୯ ତାରିଖରେ ୫୪୬ ମିମି ବୃଷ୍ଟିପାତ ରେକର୍ଡ ହୋଇଥିଲା। ୩୦ ତାରିଖରେ ୧୭୩ ମିମି ବର୍ଷା ହୋଇଥିଲା। ଏହିପରି ଭାବରେ ଉକ୍ତ ତିନି ଦିନରେ ସର୍ବମୋଟ୍ ୮୦୮.୪ ମିମି ବର୍ଷା ରେକର୍ଡ଼ ହୋଇଥିଲା।

ଏପ୍ରକାର ବର୍ଷା ଗଞ୍ଜାମ୍ କେବେ ଦେଖିନଥିଲା ; ପାତ୍ରପୁରରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ବର୍ଷା ଓଡ଼ିଶା ଇତିହାସର ଚତୁର୍ଥ ସର୍ବାଧିକ ବୃଷ୍ଟିପାତ ଭାବେ ରେକର୍ଡ଼ ହୋଇଛି। ସେହିପରି ଗଜପତି ଜିଲ୍ଲାର ମୋହନାରେ ଉକ୍ତ ତିନି ଦିନ ମଧ୍ୟରେ ପ୍ରାୟ ୫୨୫. ୨ ମିମି ବୃଷ୍ଟିପାତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୫୬୦ ମିମି, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୫୪୩. ୨ ମିମି ବର୍ଷା ହୋଇଥିଲା। ସେହିପରି କେବଳ ୨୯ ଅକ୍ଟୋବରର ବୃଷ୍ଟିପାତ ତଥ୍ୟ ଅନୁଯାୟୀ ଚବିଶ ଘଣ୍ଟାରେ ଗଞ୍ଜାମ ପାତ୍ରପୁରରେ ୫୪୬ ମିମି, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିଠାରେ ୪୬୨.୪ ମିମି, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୩୮୮ ମିମି, କନ୍ଧମାଳର ରାଇକିଆଠାରେ ୩୮୪.୮ ମିମି, ଗଞ୍ଜାମ ଜିଲ୍ଲାର ସୋରଡାରେ ୩୭୫ ମିମି, ଚିକିଟିରେ ୩୦୯.୨ ମିମି, ରଙ୍ଗେଇଲୁଣ୍ଡାଠାରେ ୨୬୧ ମିମି ବର୍ଷା ହୋଇଥିଲା। ଏହାସହିତ ସମଗ୍ର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଥିଲା, ଯାହା ପ୍ରଭାବରେ ଖୁବ କମ୍ ସମୟ ମଧ୍ୟରେ ଋଷିକୁଲ୍ୟା ନଦୀରେ ତତକ୍ଷଣାତ ବନ୍ୟା (flash flood) ପରିସ୍ଥିତି ସୃଷ୍ଟି ହୋଇ ଗଞ୍ଜାମ ଜିଲ୍ଲାକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା ।

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀରେ ଅନେକ ଉପନଦୀ ମିଶିଛି। ସେଥିରେ ଚାରୋଟି ଡ୍ୟାମ୍ ଥିବା ବେଳେ ଗୋଟିଏ ଡ୍ୟାମର ପରିଚାଳନା ଅଟୋମେଟିକ୍ ରହିଛି । ତେବେ, ସୋରଡାରେ କୌଣସି ଫାଟକ ନାହିଁ। ପୂର୍ବରୁ ଫାଟକ ବ୍ୟବସ୍ଥା ନଥିବାରୁ ଚଳିତ ଥର ବନ୍ୟାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ମାତ୍ର, ଆମେ ତାହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛୁ। ସାଧାରଣତଃ ଡ୍ୟାମ୍ ଗୁଡିକ ବହୁମୂଖୀ ବନ୍ଧ ଭାବରେ ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ, ବନ୍ୟା ରୋକିବା, ପାନୀୟ ଜଳ ରୂପେ ଉପଯୋଗ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟବହାର କରାଯାଏ। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ SRC ସମସ୍ତ ବିଭାଗସହ ସମନ୍ଵୟ ରକ୍ଷା କରିଥାନ୍ତି। ଜଳସମ୍ପଦ ବିଭାଗ ଜଳ ନିୟନ୍ତ୍ରଣ କରିବା ବେଳେ, ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଶ୍ରୟସ୍ଥଳୀ ତଥା ରିଲିଫ୍ ସେଣ୍ଟର ପରିଚାଳନା, NDRF, ODRAF ଦ୍ଵାରା ଉଦ୍ଧାର ତଥା ସ୍ଥାନାନ୍ତରଣ କାର୍ଯ୍ୟ, ଶକ୍ତି ବିଭାଗ ପକ୍ଷରୁ ପ୍ରତିକୂଳ ପରିସ୍ଥିତିରେ ବିଜୁଳି ବ୍ୟବସ୍ଥା ଆଦି ହୋଇଥାଏ। ସରକାରୀ ତଥ୍ୟ ଅନୁସାରେ, ୧୯୯୯ ମସିହାର ମହାବାତ୍ୟାରେ ୯୮୬୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ସମୟରେ ୪୫ ଜଣ ପ୍ରାଣ ହରାଇଥିଲେ । ୨୦୧୮ ମସିହାରେ ତିତଲି ବନ୍ୟାରେ ୭୨ ଜଣ ଏବଂ ୨୦୧୮ ମସିହାରେ ଫନି ବାତ୍ୟାରେ ୬୫ ଜଣ ପ୍ରାଣ ହରାଇଥିଲେ। ତେବେ, ବାତ୍ୟା ଅର୍ଣ୍ଣବ ଏବଂ ତା’ ଯୋଗୁ ଆସିଥିବା ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ସିଧାସଳଖ କୌଣସି ମୃତାହତ ରେକର୍ଡ଼ ହୋଇ ନାହିଁ। ଭୂସ୍ଖଳନ ଯୋଗୁଁ କେବଳ ଯାହା ମୃତାହତ ରେକର୍ଡ଼ ହୋଇଥିବା ବେଳେ ଭୂସ୍ଖଳନ ସାମ୍ପ୍ରତିକ ପରିସ୍ଥିତିରେ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି ଏବଂ ଏହାର ମୁକାବିଲା କରିବା ନିମନ୍ତେ ବିଭିନ୍ନ ବୈଜ୍ଞାନିକ ଏବଂ ବୈଷୟିକ ତଥା ବିଶେଷଜ୍ଞ ଅନୁଷ୍ଠାନ ଗୁଡ଼ିକ ସହ ଆମେ ଆଲୋଚନା କରିବା ସହିତ ସେମାନଙ୍କ ସହଯୋଗରେ ଏହାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି କରୁଛୁ।

ଚଳିତ ବନ୍ୟାରେ ରିଲିଫ୍ ସମାଗ୍ରୀ ବଣ୍ଟନ ସହିତ ଉଦ୍ଧାର ଏବଂ ସ୍ଥାନାନ୍ତରଣ କାର୍ଯ୍ୟରେ ମଧ୍ଯ ହେଲିକପ୍ଟର ବ୍ୟବହୃତ ହୋଇଛି।ଭାରତୀୟ ନୌସେନାର ହେଲିକପ୍ଟର୍ ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାର ଏବଂ ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜିତ ହୋଇ ସଫଳତାର ସହିତ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନ ତଥା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବ-ପ୍ରସ୍ତୁତିର ସମୀକ୍ଷା କରିବାକୁ ଏକାଧିକ ବାର SRC କାର୍ଯ୍ୟାଳୟସ୍ଥିତ କଣ୍ଟ୍ରୋଲ ରୁମରେ ଉପସ୍ଥିତ ହୋଇ ବୈଠକ କରିଥିଲେ। ରାଜ୍ୟସରକାରଙ୍କ ୮ ଜଣ ମନ୍ତ୍ରୀ ବନ୍ୟା ଅଞ୍ଚଳରେ ଅବସ୍ଥାପିତ ହେଇଥିଲେ l ଦୁର୍ଗମ ସ୍ଥାନରେ ପହଞ୍ଚି ଲୋକମାନଙ୍କ ସେବା କରିବା ସହିତ ପ୍ରଶାସନକୁ ସହଯୋଗ କରି ସଭିଙ୍କ ମନୋବଳ ବଢ଼ାଇଥିଲେ । ବିପର୍ଯ୍ୟୟ ପରିଚାଳନାକୁ ଆହୁରି ଅଧିକ ସୁଦୃଢ଼ ଏବଂ ସୁବ୍ୟବସ୍ଥିତ କରିବା ନିମନ୍ତେ ପୂର୍ବରୁ ଯେଉଁ ବରିଷ୍ଠ ଅଧିକାରୀମାନଙ୍କର ସମ୍ପୃକ୍ତ ଜିଲ୍ଲାରେ ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀ ଭାବେ ଦୀର୍ଘ ଅନୁଭବ ଅଛି, ସେମାନଙ୍କୁ ଅସ୍ଥାୟୀ ଭାବେ ପ୍ରଭାବିତ ଜିଲ୍ଲାକୁ ସହଯୋଗ ନିମନ୍ତେ ପଠା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣାରେ ଚାଷଜମିଠୁଁ ଆରମ୍ଭ କରି ବାସଗୃହ, ଆସବାବପତ୍ର, ବ୍ୟବସାୟ ଯାହା ବି କ୍ଷୟକ୍ଷତି ହୋଇଛି, ସେ ସବୁ ନିମନ୍ତେ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କ ପାଇଁ ପରିବାର ପିଛା ୫୦ କେଜି ଚାଉଳ ଏବଂ ୨୫୦୦ ଟଙ୍କାର କ୍ଷତିପୂରଣ ପ୍ରଦାନ ସୁନିଶ୍ଚିତ କରାଯାଇଛି।

ଏ କ୍ଷତିପୂରଣ ଜନସାଧାରଣଙ୍କ ଅଧିକାର। କେବଳ କ୍ଷତିପୂରଣ ଘୋଷଣାରେ ସୀମିତ ନ ରହି ଯାଇ ଠିକ୍ ଭାବରେ ଏ କ୍ଷତିପୂରଣ ତଥା ସହାୟତା ରାଶି ସାଧାରଣ ଲୋକଙ୍କ ପାଖେ ପହଁଞ୍ଚିଛି କି ନାହିଁ ; ତାହାକୁ ସୁନିଶ୍ଚିତ କରିବା ନିମନ୍ତେ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ପ୍ରଭାବିତ ଜିଲ୍ଲାରେ ଅତିରିକ୍ତ SRC ଭାବେ ସମ୍ପୂର୍ଣ୍ଣ କ୍ଷମତା ସହ ଅବସ୍ଥାପିତ କରାଯାଇଛି। ଆସନ୍ତା ୧୮ ତାରିଖରେ ବିଧାନସଭା ଆରମ୍ଭ ହେବ। ମୋର ବ୍ୟକ୍ତିଗତ ଉପଲବ୍ଧି, ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା ଉଦ୍ଦେଶ୍ଯରେ ଏ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ନିମନ୍ତେ ପବିତ୍ର ବିଧାନସଭା ଏକ ପ୍ରକୃଷ୍ଟ ମଞ୍ଚ। ଗଣତାନ୍ତ୍ରିକ ବିଧିବ୍ଯବସ୍ଥାରେ ସମାଲୋଚନାର ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୁତରାଂ, ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ମହାବାତ୍ୟାଠୁଁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆସିଥିବା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ପ୍ରସଙ୍ଗରେ ସାମଗ୍ରିକ ଆଲୋଚନା କରିବାକୁ ମୁଁ ଆହ୍ଵାନ ଜଣାଉଛି। ଓଡ଼ିଶାରେ ଯେଉଁ ସମୟରେ ବନ୍ୟା, ବାତ୍ୟା ହେଇଚି, ଆମେମାନେ ସର୍ବଦା ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ଦାନା, ମୋନ୍ଥା, ଅର୍ଣ୍ଣବକୁ ଆମେ ସାମ୍ନା କରିଛୁ l ରାଜ୍ୟ ସରକାର କେବଳ ବିପର୍ଯ୍ୟୟକୁ ସଫଳତାର ସହିତ ସମ୍ମୁଖୀନ ହେଉନାହାଁନ୍ତି ; ଏଥି ସହିତ ବିପର୍ଯ୍ୟୟ ମୁକାବିଲା ଦିଗରେ ଭିତ୍ତିଭୂମି ସୁଦୃଢ କରିବା ଦିଗରେ ମଧ୍ଯ ନିରନ୍ତର ଉଦ୍ୟମ କରୁଛନ୍ତି।

ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ ଅନ୍ୟ ସମସ୍ତ ଜିଲ୍ଲା ଚଳିତ ବର୍ଷ ଲଗାଣ ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ପ୍ରଭାବରେ ଊଣାଅଧିକେ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମି ବିକାଶ କରିବା ନିମନ୍ତେ ମଧ୍ୟ ଆମେ ଉଦ୍ୟମ ଆରମ୍ଭ କରି ସାରିଛୁ। ଆଇଆଇଟି ଏବଂ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନମାନଙ୍କ ସହଯୋଗରେ ଆମେ ଗବେଷଣା, ସର୍ଭେ କରିବା ସହ ତଦନୁଯାୟୀ ବିପର୍ଯ୍ୟୟ ପ୍ରତିରୋଧୀ ତଥା ସହନଶୀଳ ଭିତ୍ତିଭୂମି ବିକାଶ ନିମନ୍ତେ କାର୍ଯ୍ୟ କରୁଛୁ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ଉତ୍ତରଦାୟୀ ହୋଇ ଜନସାଧାରଣଙ୍କ ସୁରକ୍ଷା ଏବଂ ସ୍ଵାର୍ଥରକ୍ଷା ସୁନିଶ୍ଚିତ କରିବା ଦିଗରେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ଏବଂ ସମସ୍ତ ପ୍ରକାରର ଗଠନମୂଳକ ଆଲୋଚନା ନିମନ୍ତେ ପ୍ରସ୍ତୁତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking