ଭୁବନେଶ୍ୱର : ଆଉ ନାହାନ୍ତି ଦେଶର ଜଣାଶୁଣା ଦୂରଦର୍ଶନ ନ୍ୟୁଜ୍ ଆଙ୍କର୍ । ଦୂରଦର୍ଶନର ପ୍ରସିଦ୍ଧ ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟରଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ସାନ୍ଧ୍ୟଭ୍ରମଣ କରି ଆସିବାପରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହେଇଛି। ଗୀତାଞ୍ଜଳି ଆୟର ୧୯୭୧ ମସିହାରେ ଦୂରଦର୍ଶନରେ କାମ ଆରମ୍ଭ କରିଥିଲେ । ଇଂରାଜୀ ଭାଷାରେ ନ୍ୟୁଜ ଆଙ୍କର ଭାବେ ସେ ଭାରତରେ ବେଶ ପରିଚିତ ।
ଦୂରଦର୍ଶନରେ ସେ ପ୍ରାୟ ୩୦ ବର୍ଷ ଧରି କାମ କରିଛନ୍ତି । ଟିଭି ସାମ୍ବାଦିକତା କ୍ଷେତ୍ରରେ ଗୀତାଞ୍ଜଳି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ନିଜ କ୍ୟାରିଅରରେ ସେ ୪ଥର ବେଷ୍ଟ ନ୍ୟୁଜ ଆଙ୍କର ପୁରସ୍କାର ପାଇଥିଲେ । କୋଲକାତାର ଲୋରେଟୋ କଲେଜରୁ ଗ୍ରାଜୁଏସନ ସାରିବା ପରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଡିପ୍ଲୋମା ସାରି ସେ ପ୍ରଥମେ ଅଲ ଇଣ୍ଡିଆ ରେଡିଓରେ କାମ କରିଥିଲେ । ପରେ ଦୂରଦର୍ଶନରେ ସେ ଇଂରାଜୀ ନ୍ୟୁଜ୍ ଆଙ୍କର ଭାବେ କାମ ଆରମ୍ଭ କରିଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି । ସେହିଭଳି ତାଙ୍କ ଗଭୀର ସମବେଦନା ଜଣାଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।