30.1 C
Bhubaneswar
Friday, May 30, 2025
Homeଓଡିଶା୩୦୦ କୋଟି ବ୍ୟୟରେ ୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍‌ ଟର୍ମିନାଲ

୩୦୦ କୋଟି ବ୍ୟୟରେ ୧୦ ଜିଲ୍ଲାରେ ନିର୍ମାଣ ହେବ ଟ୍ରକ୍‌ ଟର୍ମିନାଲ

ଭୁବନେଶ୍ୱର : ଜାତୀୟ ରାଜପଥରେ ସୁରକ୍ଷିତ ଗାଡ଼ି ଚଳାଚଳ ସହ ଟ୍ରକ୍‌‌ ଚାଳକଙ୍କ ସୁବିଧା ପାଇଁ ପ୍ରସ୍ତାବିତ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇଛି। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଜମି ଚିହ୍ନଟ ହୋଇସାରିଥିବାରୁ ଡିପିଆର୍‌ ପ୍ରସ୍ତୁତି ପାଇଁ କିଛି ମାସ ତଳେ ପରିବହନ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଥିଲା। ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଏବଂ ଜଗତସିଂହପୁରରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଛି।

କିଛି ବର୍ଷ ହେଲା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅଯଥାରେ ବହୁ ଧନଜୀବନ ହାନି ହେଉଛି। ଏଥିମଧ୍ୟରୁ ବହୁ ଦୁର୍ଘଟଣା ରାସ୍ତାରେ ବେଆଇନ ଭାବେ ଟ୍ରକ୍‌ ପାର୍କିଂ ଯୋଗୁଁ ଘଟିଥିବା କୁହାଯାଉଛି। ଏକ ତଥ୍ୟ ଅନୁଯାୟୀ, ବର୍ଷକୁ ହାରାହାରି ୫ ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ସେଥିରୁ ୨୫% ମୃତ୍ୟୁ କେବଳ ଏହି ବେଆଇନ ପାର୍କିଂ ଯୋଗୁଁ ଘଟୁଛି। ନିକଟରେ ଘଟଗାଁ ନିକଟରେ ଘଟିଥିବା ଛାତିଥରା ଦୁର୍ଘଟଣା ପରେ ରାସ୍ତା ଉପରେ ବେଆଇନ ପାର୍କିଂ ବିରୋଧରେ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମ୍‌‌କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଅନୁସାରେ, ରାସ୍ତାରେ ବେପରୁଆ ଭାବେ ଗାଡ଼ି ରଖିବା ହେତୁ ବହୁ ସଂଖ୍ୟକ ଦୁର୍ଘଟଣା ଘଟୁଛି।

ତେଣୁ କମିଟିର ସୁପାରିସ ଅନୁସାରେ ରାଜ୍ୟ ସରକାର ଟ୍ରକ୍‌‌ ଟର୍ମିନାଲ ନିର୍ମାଣ କରି ଗାଡ଼ି ଚାଳକ ଓ କର୍ମଚାରୀଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଅଧୀନରେ ଆବଶ୍ୟକତା ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ପ୍ରସ୍ତାବିତ ଟ୍ରକ୍‌‌ ଟର୍ମିନାଲରେ ପାର୍କିଂ ପାଇଁ ବିସ୍ତୃତ ସ୍ଥାନ ସମେତ ଚାଳକ ଓ କର୍ମଚାରୀଙ୍କ ସୁବିଧା ପାଇଁ ଶୌଚାଳୟ ସୁବିଧା ଥିବା ଡର୍ମିଟୋରୀ, ପାନୀୟ ଜଳ ସୁବିଧା, ଫୁଡ୍‌‌ ପ୍ଲାଜା, କ୍ୟାଣ୍ଟିନ୍‌‌, ଟ୍ରକ୍‌‌ ମରାମତି ପାଇଁ ଗ୍ୟାରେଜ, ସୁରକ୍ଷାକର୍ମୀଙ୍କ କୋଠରୀ, କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଟ୍ରକ୍‌‌ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଦ୍ବାର ରହିବ। ଆବଶ୍ୟକତାକୁ ଦେଖି ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking