29.4 C
Bhubaneswar
Saturday, May 4, 2024
Homeଓଡିଶାବାତ୍ୟା ପୂର୍ବରୁ  ଗର୍ଭବତୀ, ଅସହାୟଙ୍କୁ ସ୍ଥାନାନ୍ତର : ଥଇଥାନ ପୂର୍ବରୁ ଥର୍ମାଲ ସ୍କାନିଂ, ଆଣ୍ଟିଜେନ ଟେଷ୍ଟ

ବାତ୍ୟା ପୂର୍ବରୁ  ଗର୍ଭବତୀ, ଅସହାୟଙ୍କୁ ସ୍ଥାନାନ୍ତର : ଥଇଥାନ ପୂର୍ବରୁ ଥର୍ମାଲ ସ୍କାନିଂ, ଆଣ୍ଟିଜେନ ଟେଷ୍ଟ

ଭଦ୍ରକ : ବାତ୍ୟା ପୂର୍ବରୁ ଗର୍ଭବତୀ, ସ୍ତନ୍ୟପାନ କରୁଥିବା ଶିଶୁ, ବୟସ୍କ ପୁରୁଷ ଓ ମହିଳା, ଦିବ୍ୟାଙ୍ଗ ଓ ଅସହାୟ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଏକ ଜରୁରୀ ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ,  ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆଇସିଡିଏସ୍ ସୁପରଭାଇଜରମାନେ ଭାଗ ନେଇଥିଲେ । ବାତ୍ୟା ପୂର୍ବରୁ ମୁଖ୍ୟତଃ ଲୋକଙ୍କୁ ସ୍ଥାନାନ୍ତର ଓ ପଶୁ ସମ୍ପଦର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଜିଲ୍ଲାର ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ସମେତ ସ୍କୁଲ କଲେଜକୁ ପ୍ରସ୍ତୁତ  ରଖିବା ପାଇଁ ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ଅଞ୍ଚଳର ବେସରକାରୀ ସଂସ୍ଥାମାନଙ୍କ ସହ କିପରି ଉଦ୍ଧାର କାର୍ଯ୍ୟ କରାଯିବ ସେନେଇ ନୋଡାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ପ୍ରତି ପଞ୍ଚାୟତ ସ୍ତରରେ ଜଣେ ଜଣେ ନୋଡାଲ ଅଫିସର ରହିବେ ଏବଂ ସେମାନେ ସ୍ଥାନୀୟ ସରପଞ୍ଚ, ଏନ୍‌ଜିଓ ସଂସ୍ଥାମାନଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟକୁ ଆଗେଇ ନେବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର ସମୟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଯେଉଁମାନଙ୍କର ମାସ୍କ ନଥିବ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାସ୍କ ଯୋଗାଇ ଦିଆଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା , ଲୋକଙ୍କୁ ଥଇଥାନ ପୂର୍ବରୁ ଥର୍ମାଲ ସ୍କାନିଂ କରାଯିବ ।

ଯେଉଁମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବ କିମ୍ବା ସନ୍ଦେହ ଉପୁଜିବ ସେମାନଙ୍କର ତୁରନ୍ତ ଆଣ୍ଟିଜେନ ଟେଷ୍ଟିଂର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଓ ଯେଉଁ ସ୍କୁଲ କଲେଜରେ ଲୋକଙ୍କ ଥଇଥାନ କରି ରଖାଯିବ ସେଠାରେ ବିଦ୍ୟୁତ୍ ଓ ଜେନେରେଟର, ପାନୀୟ ଜଳ, ଶୌଚାଳୟ, ଶୁଖିଲା ଖାଦ୍ୟର ବନ୍ଦୋବସ୍ତ କରାଯିବା ସହ ଥଇଥାନ ପୂର୍ବରୁ ସେ କେନ୍ଦ୍ର ଗୁଡ଼ିକୁ ସାନିଟାଇଜ କରିବାକୁ ନୋଡାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀମାନେ ଯେପରି ସମୁଦ୍ରକୁ ନଯାଆନ୍ତି ସେଥିଲାଗି ଜିଲ୍ଲା ମତ୍ସ୍ୟ ବିଭାଗ ନଜର ରଖିବାକୁ କୁହାଯାଇଛି । ମୁଖ୍ୟତଃ ସମୁଦ୍ର କୂଳବର୍ତ୍ତୀ ବ୍ଲକ ଭାବେ ଚାନ୍ଦବାଲି ଓ ବାସୁଦେବପୁର ରହିଥିଲେ ବି ପ୍ରଶାସନ ପକ୍ଷରୁ ୭ଟି  ବ୍ଲକରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking