ଗଞ୍ଜାମ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଜଣେ ବୋହୂ ବିଷପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ଶବସତ୍କାର କରିବାକୁ ଶାଶୂଘର ଲୋକ କିମ୍ବା ଗ୍ରାମର କୌଣସି ପୁରୁଷ ନ ବାହାରିବାରୁ ବାଧ୍ୟ ହୋଇ ମାଆ, ଭଉଣୀ ମଧ୍ୟରାତ୍ରରେ ଶବକୁ ଚାରି କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ । ଏ ସମ୍ପର୍କରେ ମୃତ ବୋହୂର ମାଆ ଭେଜିପୁଟ ଫାଣ୍ଡିରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଭେଜିପୁଟ ଫାଣ୍ଡିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପାରିନୂଆଁଗାଁର ନିଳା ସାହୁ ଗତ କିଛି ବର୍ଷ ତଳେ ଓଡ଼ିଆ ଆଲପୁର ଗ୍ରାମର ହରଷ ସାହୁଙ୍କ ସହିତ ସମ୍ପୂର୍ଣ୍ଣ ବୈଦିକ ରୀତିରେ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଦୁଇଟି ପୁଅ ଅଛନ୍ତି । ହରଷ ଚେନ୍ନାଇରେ ଦାଦନ ଖଟୁଛନ୍ତି । ଏହାରି ସୁଯୋଗରେ ଶାଶୂଘର ଲୋକେ ବୋହୂ ନିଳାଙ୍କ ଉପରେ ନିର୍ଯାତନା ଆରମ୍ଭ କରି ଦେଇଥିଲେ । ଶାଶୂଘର ଲୋକଙ୍କ ପ୍ରରୋଚନାରେ ପଡି ସ୍ୱାମୀ ହରଷ ସ୍ତ୍ରୀ ନିଳାଙ୍କ ନିକଟକୁ ଟଙ୍କା ପଠାଇବା ବନ୍ଦ କରିଦେଲେ । ଫଳରେ ଦୁଇ ପୁଅଙ୍କୁ ନେଇ ସଂସାର ଚଳାଇବା କଷ୍ଟସାଧ୍ୟ ହୋଇ ପଡ଼ିଲା । ବାଧ୍ୟ ହୋଇ ଗତ ମଙ୍ଗଳବାର ସନ୍ଧ୍ୟାରେ ବିଷ ପିଇ ଦେଲେ ନିଳା । ବିଷ ଜ୍ୱାଳାରେ ଛଟପଟ ହେଉଥିଲା ନିଳା । କିନ୍ତୁ ମେଡ଼ିକାଲ ନେଇ ନ ଥିଲେ ଶାଶୂଘର ଲୋକେ । ଖବରପାଇ ବାପଘର ଲୋକେ ମଙ୍ଗଳବାର ରାତି ରାତି ୧୦ ଟାରେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେହି ରାତିରେ ଚିକିତ୍ସିତ ହେଉଥିବା ସମୟରେ ନିଳାଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ଶବ ବ୍ୟବଚ୍ଛେଦ କରି ଶାଶୂଘର ଓଡ଼ିଆ ଆଲପୁରରେ ରାତି ୮ଟାରେ ପହଞ୍ଚି ଥିଲେ ମଧ୍ୟ ଶବ ସତ୍କାର କରିବାକୁ ଶାଶୂଘର ଲୋକ କିମ୍ବା ଗ୍ରାମର କୌଣସି ପୁରୁଷ ଆଗେଇ ଆସି ନ ଥିଲେ । ଦୀର୍ଘ ୪ ଘଣ୍ଟା ଶାଶୂଘରେ ମୃତଦେହ ପଡି ରହିଥିଲା । ଶେଷରେ ବାଧ୍ୟ ହୋଇ ମାଆ ଭଉଣୀ ମଧ୍ୟରାତ୍ରରେ ଶବକୁ ଚାରି କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ । ଶାଶୂଘରର ଜଣେ ବୋହୂ ପ୍ରତି ଏଭଳି ଅମାନୁଷିକ ଅତ୍ୟାଚାରକୁ ସାଧାରଣରେ ନିନ୍ଦା କରାଯାଇଛି ।