31.1 C
Bhubaneswar
Sunday, May 19, 2024
Homeଖେଳଆଜି ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ; ଉନ୍ନତ ବ୍ୟାଟିଂ ସହ ସିରିଜ୍ ଲକ୍ଷ୍ୟରେ ଭାରତ

ଆଜି ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ; ଉନ୍ନତ ବ୍ୟାଟିଂ ସହ ସିରିଜ୍ ଲକ୍ଷ୍ୟରେ ଭାରତ

ବାର୍ବାଡୋସ୍ : ଚଳିତ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୫ ୱିକେଟ୍‌ରେ ବିଜୟୀ ହୋଇଥିବା ଭ୍ରମଣକାରୀ ଭାରତ ଶନିବାର ଏଠାରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍‌ରେ ଦଳ ପ୍ରଥମ ମ୍ୟାଚ୍ ତୁଳନାରେ ଅପେକ୍ଷାକୃତ ଉନ୍ନତ ବ୍ୟାଟିଂ ସହ କ୍ରମାଗତ ବିଜୟ ମାଧ୍ୟମରେ ସିରିଜ୍ ବିଜୟ ପାଇଁ ଲକ୍ଷ୍ୟ ରଖିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଇଥିଲେ । ଏହି କାରଣରୁ ଅଧିନାୟକ ରୋହିତ ଓପନିଂ ପରିବର୍ତ୍ତେ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ।

କିନ୍ତୁ ଦଳ ୧୧୫ ରନ୍‌ର ସ୍ୱଳ୍ପ ଟାର୍ଗେଟ୍‌କୁ ହାସଲ କରିବା ସକାଶେ ୫ଟି ୱିକେଟ୍ ହରାଇବା ଫଳରେ ରୋହିତ-ରାହୁଲ୍ ଯୋଡ଼ିଙ୍କ ଗବେଷଣା ଫେଲ୍ ମାରିଥିଲା । ତେଣୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ପୁରୁଣା କମ୍ବିନେସନ୍‌କୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଅର୍ଥାତ୍ ରୋହିତ ଓ ଶୁବମାନ ଗିଲ୍ ଇନିଂସ ଆରମ୍ଭ କରିବେ ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇବେ ବିରାଟ କୋହଲି । ତେଣୁ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସତ୍ତ୍ୱେ ଈଶାନ୍ କିଶନ୍‌ଙ୍କୁ ମଧ୍ୟକ୍ରମକୁ ଖସିଯିବାକୁ ପଡ଼ିବ । ଆଗାମୀ ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତ ପାଖରେ ୧୧ଟି ମ୍ୟାଚ୍ ଖେଳିବାର ସୁଯୋଗ ଥିବା ବେଳେ ଏହି ମ୍ୟାଚ୍ ମାଧ୍ୟମରେ ଦଳ ତା’ର କମ୍ବିନେସନ୍ ସୁଦୃଢ଼ ପାଇଁ ଉଦ୍ୟମ କରିବ । ତେଣୁ ଚଳିତ ସିରିଜ୍‌ରେ ଆଉ ବ୍ୟାଟିଂ କ୍ରମରେ କୌଣସି ପ୍ରକାର ଗବେଷଣା ହେବାର ସମ୍ଭାବନା ଯଥେଷ୍ଟ କ୍ଷୀଣ ରହିଛି।

ଏକଦା ଏଠାକାର କେନସିଙ୍ଗ୍‌ଟନ୍ ଓଭାଲ୍ ପିଚ୍‌ରୁ ମାଲକମ୍ ମାର୍ଶାଲ୍ ଓ ଜୋଏଲ୍ ଗାର୍ନରଙ୍କ ପରି ଘରୋଇ ପେସର୍ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଦୁଃସ୍ୱପ୍ନ ପାଲଟୁଥିଲେ । କିନ୍ତୁ ଗୁରୁବାର ଚଳିତ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସମାନ ପିଚ୍‌ରେ ଭାରତର ଦୁଇ ସ୍ପିନର୍ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଯଥେଷ୍ଟ ସ୍ପିନ୍ ହାସଲ କରିବା ସହ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କୁ ବାଉନ୍ସରେ ମଧ୍ୟ ମାତ୍ ଦେଇଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କ ଟି-୨୦ ଫର୍ମ ଦେଖାଇବାକୁ ପଡ଼ିବ । ନଚେତ୍ ଏହି ଫର୍ମାଟ୍‌ରେ ତାଙ୍କୁ ଶ୍ରେୟସ୍ ଆୟର୍ ଓ ଲୋକେଶ ରାହୁଲ୍ ଫିଟ୍ ହେବା ପରେ ନିଶ୍ଚିତ ଭାବେ ରିଜର୍ଭ ବେଞ୍ଚ୍‌ରେ ବସିବାକୁ ବାଧ୍ୟ କରିବେ । ତେଣୁ ତାଙ୍କୁ ଦଳରେ ସ୍ଥାନ ପକ୍କା କରିବାକୁ ହେଲେ ସିରିଜ୍‌ର ଅବଶିଷ୍ଟ ଦୁଇଟି ମ୍ୟାଚ୍ ସହ ଆଗାମୀ ଏସିଆ କପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ ପ୍ରଥମ ଦିନିକିଆରେ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍‌ମାନେ ସମ୍ପୂର୍ଣ୍ଣ ଭାବେ ନିରାଶ କରିବା ପରେ ବୋଲର୍ ଆଶାର କିରଣ ଦେଖାଇଥିଲେ । କିନ୍ତୁ ସ୍କୋର୍ ବୋର୍ଡରେ ଯଥେଷ୍ଟ ରନ୍ ନ ଥିବାରୁ ଭାରତ ଶେଷରେ ବିଜୟୀ ହୋଇଥିଲା । ତେବେ ଭାରତର ବିଜୟ ସତ୍ତ୍ୱେ ଇଣ୍ଡିଜ୍ ସ୍ପିନର୍‌ମାନଙ୍କୁ ଦ୍ୱିତୀୟ ମ୍ୟାଚ୍ ପାଇଁ ନିଶ୍ଚିତ ଭାବେ ମାନସିକ ଦୃଢ଼ତା ମିଳିବ । ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ସାଇ ହୋପ୍ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଅପର ପଟରୁ ସେତେଟା ସହଯୋଗ ମିଳି ନ ଥିଲା । ତେଣୁ ଦଳ ୫୦ ଓଭର୍ ପୂରଣ କରିବା ତ ଦୂରର କଥା, ୨୫ ଓଭର୍ ପୂର୍ବରୁ ଅଲ୍‌ଆଉଟ୍ ହୋଇଯାଇଥିଲା । ଏହି କାରଣରୁ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରିପାରିଲେ ହିଁ ସିରିଜ୍‌କୁ ଜୀବିତ ରଖିପାରିବ । ପ୍ରଥମ ଦିନିକିଆରେ ଶୋଚନୀୟ ପ୍ରଦର୍ଶନ ପରିପ୍ରେକ୍ଷୀରେ ଘରୋଇ ଦଳରେ ଏକାଧିକ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମାନ୍ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଈଶାନ୍ କିଶନ୍ (ୱିକେଟ୍‌କିପର୍‌), ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ୍ ଠାକୁର, କୁଲଦୀପ ଯାଦବ, ଉମରାନ୍ ମଲିକ ଓ ମୁକେଶ କୁମାର ।

ସମ୍ଭାବ୍ୟ ଇଣ୍ଡିଜ୍ ଏକାଦଶ: ବ୍ରେଣ୍ଡନ୍ କିଙ୍ଗ୍‌, କାଇଲ୍ ମାୟେର୍ସ, ଆଲିକ୍ ଆଥାନେଜ୍‌, ଶାଇ ହୋପ୍ (ଅଧିନାୟକ ଓ ୱିକେଟ୍‌କିପର୍‌), ଶିମରୋନ୍ ହେଟମେୟର୍‌, ରୋଭମାନ୍ ପାୱେଲ୍‌/କିଚି କାର୍ଟି, ରୋମାରିଓ ଶେଫର୍ଡ, ଡୋମିନିକ୍ ଡ୍ରେକ୍ସ, ୟାନିକ୍ କାରିଆହ, ଗୁଡାକେଶ ମୋଟି, ଜାଡେନ୍ ସିଲ୍ସ/ଆଲ୍‌ଜାରି ଜୋସେଫ୍‌/ଓଶେନ୍ ଥୋମାସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking