29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଘନେଇଲା ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା: ଇସ୍ରାଏଲ୍‌କୁ ଟାର୍ଗେଟ୍ କଲା ଇରାନ୍‌

ଘନେଇଲା ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା: ଇସ୍ରାଏଲ୍‌କୁ ଟାର୍ଗେଟ୍ କଲା ଇରାନ୍‌

ତେଲ୍ ଆବିଭ୍ : ମଧ୍ୟ ପ୍ରାଚ୍ୟରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଦୁଇ ଦଶନ୍ଧିର ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି । ଏହାକୁ ନେଇ ଘନେଇଛି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା । ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଇରାନ୍ ୨୦୦ରୁ ଅଧିକ ମିସାଇଲ୍ ମାଡ଼ କରିବା ସହ ଡ୍ରୋନ୍ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ପ୍ରାୟ ୪୦୦ରୁ ୫୦୦ ଡ୍ରୋନ୍‌ରେ ଆକ୍ରମଣ ହୋଇଥିଲା । ମାତ୍ର ସେଥିମଧ୍ୟରୁ ପ୍ରାୟ ୧୦୦ଟିକୁ ଆମେରିକା, ଜୋର୍ଡାନ ଏବଂ ବ୍ରିଟିଶ ସୈନ୍ୟ ସମେତ ସହଯୋଗୀ ଦେଶ କାଉଣ୍ଟର ଆଟାକ୍ କରି ଖସାଇ ଦେଇଥିଲେ । ଇରାନ୍ ଆକ୍ରମଣରେ ଇସ୍ରାଏଲ୍‌ର ନେବାତିିମ୍ ଏୟାରଫୋର୍ସ ବେସ୍ କ୍ଷତିଗ୍ରସ୍ତ ହୋଇଛି ।

ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ ଉପରେ ମିସାଇଲ୍ ମାଡ଼ କରିଥିବାରୁ ଏହାର ଜବାବ ନିଶ୍ଚିତ ଦିଆଯିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଆକ୍ରମଣକୁ କଡ଼ା ନିନ୍ଦା କରିଛି ଆମେରିକା । ଯୁଦ୍ଧକୁ ନେଇ ତୁରନ୍ତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏମର୍ଜେନ୍ସି ବୈଠକ ଡାକିଥିଲେ । ମିଳିତ ଜାତିସଂଘ, କାନାଡ଼ା, ଜର୍ମାନୀ ଆଦି ଦେଶ ଆକ୍ରମଣକୁ ନିନ୍ଦା କରିଛନ୍ତି । ଆକ୍ରମଣ ପରେ ସତର୍କ ହୋଇପଡ଼ିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜି -୭ ନେତାଙ୍କ ସହ ବୈଠକ କରିଛନ୍ତି । ପରବର୍ତ୍ତୀ ପରିସ୍ଥିତି ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଏଥିରେ ଆଲୋଚନା ହୋଇଛି । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ଇସ୍ରାଏଲ ନିଜର ସବୁ ଏୟାର ସ୍ପେଶ୍‌କୁ ବନ୍ଦ କରି ଦେଇଛି । ଦେଶ ନୋ ଫ୍ଲାଇଂ ଜୋନ୍‌ରେ ପରିଣତ ହୋଇଛି ।

ଇସ୍ରାଏଲ ସହାୟତା ପାଇଁ ଆଗକୁ ଆସିଥିବା ଆମେରିକା ନିଜ ଡିଫେନ୍ସ ସିଷ୍ଟମ୍‌କୁ ଆଲର୍ଟ ମୋଡ୍‌ରେ ରଖିଛି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିଜ ନାଗରିକମାନଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେ ରକ୍ଷାତ୍ମକ ତଥା ଆକ୍ରମଣାତ୍ମକ ପଦ୍ଧତି ଦ୍ୱାରା ଯେକୌଣସି ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ଅଛୁ । ଯୁକ୍ତରାଷ୍ଟ୍ର ଆମେରିକା ଆମକୁ ସହାୟତା କରିବାକୁ ଆଗେଇ ଆସିଥିବା ବେଳେ ଆଗାମୀ ଦିନରେ ବ୍ରିଟେନ୍‌, ଫ୍ରାନ୍ସ ପରି ଦେଶ ବି ସମର୍ଥନ ଜଣାଇବେ ବୋଲି ଆଶା ରଖୁଛୁ । ଏଥିସହ ସେ ଆହୁରି କହିଛନ୍ତି, ଯିଏ ବି ଆମକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ଆମେ କେବେ ବି ତା’ ପ୍ରତି ଉଦାର ହୋଇ ପାରିବୁ ନାହିଁ । ଆମେ ସ୍ଥିତିର ମୁକାବିଲା କରିବା ଭଲ ଭାବେ ଶିଖିଛୁ ଓ ଏହାର କଡ଼ା ଜବାବ ଦେବୁ । ଆମେ ଏକ ହୋଇ ଛିଡ଼ା ହେବୁ ଓ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବୁ ।

ଇରାନ୍ ତରଫରୁ ହମ୍‌ଲା ପରେ ଏହାର ମୁକାବିଲା ନିମନ୍ତେ ଜରୁରୀକାଳୀନ ବୈଠକ ଡାକିଥିଲେ ନେତାନ୍ୟାହୁ । ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ଅପରପକ୍ଷେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଆକ୍ରମଣର ନିନ୍ଦା କରିଛନ୍ତି । ଆମେରିକା ଇସ୍ରାଏଲ ସମର୍ଥନରେ ବହାରି ତାକୁ ସୁରକ୍ଷା ଯୋଗାଇବାକୁ ଆଗକୁ ଆସିଛି । ଏହାକୁ ନେଇ ଏବେ ଆମେରିକାକୁ ନାଲି ଆଖି ଦେଖାଇଛି ଇରାନ୍ । ଆମେରିକା ଉପରେ ଆକ୍ରମଣ କରିବା ପାଇଁ ଖୋଲାଖୋଲି ଦେଇଛି ଧମକ । ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି ଯେ ତାଙ୍କ ଦେଶ ଇରାନ୍ ସହ ସଂଘର୍ଷ ଚାହୁଁନାହିଁ, କିନ୍ତୁ ଇସ୍ରାଏଲର ପ୍ରତିରକ୍ଷା ସମର୍ଥନରେ କାର୍ଯ୍ୟ କରିବାକୁ କୁଣ୍ଠାବୋଧ ମଧ୍ୟ କରିବୁ ନାହିଁ । ଏହାକୁ ନେଇ ଏବେ ଇରାନ୍ କହିଛି ଯେ ଯଦି ଆମେରିକା ଇସ୍ରାଏଲର ପ୍ରତିଶୋଧ ନେବାକୁ ସମର୍ଥନ କରେ, ତେବେ ଇରାନ୍ ଆମେରିକାର ଅନେକ ଠିକଣାକୁ ଟାର୍ଗେଟ୍ କରି ଆକ୍ରମଣ କରିବ । ଏନେଇ ତେହେରାନ ସ୍ୱିଜରଲ୍ୟାଣ୍ଡ ମାଧ୍ୟମରେ ଆମେରିକା ପ୍ରଶାସନକୁ ଏକ ବାର୍ତ୍ତା ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking