ଭୁବନେଶ୍ୱର: ଏଥର ଜମିବ ଐତିହାସିକ ଖଣ୍ଡଗିରି ମେଳା । ମହାମାରୀ କରୋନା କଟକଣା ନଥିବାରୁ ପୁଣି ଦୁଇ ବର୍ଷ ପରେ ଦୁଲୁକିବ ଯାତ୍ରା ମଞ୍ଚ । କମ୍ପିବ ପରିବେଶ । ଆଉ ସଂଳାପ ଭାଙ୍ଗିବ ରାତିର ନିରବତା । ୬ଟି ଯାତ୍ରା ପେଣ୍ଡାଲରେ ଦର୍ଶକ କଳାକାରଙ୍କ ସିଧାସଳଖ ମିଳନ ହେବ । ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲାବେଳେ ଏ ସଂକ୍ରାନ୍ତରେ ବିଏମ୍ସିରେ ବୈଠକ ବସିବ ବୋଲି ସୂଚନା ମିଳିଛି ।
ଆସନ୍ତ ଜାନୁଆରୀ ୨୮ରେ ପଡ଼ୁଛି ମାଘ ସପ୍ତମୀ ତଥା ଚନ୍ଦ୍ରଭାଗା ବୁଡ଼ । ପରମ୍ପରା ଅନୁଯାୟୀ ଏହିଦିନ ପରଠୁ ଖଣ୍ଡଗିରି ପାଦଦେଶରେ ମେଳା ଆରମ୍ଭ ହୋଇଥାଏ । ବାହାରୁ ଆସିଥିବା ସାଧୁସନ୍ଥଙ୍କ ମେଳି ଜମେ । ହୋମ, ଯଜ୍ଞ ସାଙ୍ଗକୁ ନାମକୀର୍ତ୍ତନ ଚାଲେ । ୭ଦିନ ଧରି ବାବାମାନେ ଠାକୁରଙ୍କ ନାମ ଜପନ୍ତି । ଖଣ୍ଡଗିରି ପାହାଡ଼ ଉପରେ ବି ଯଜ୍ଞ ହୁଏ । ବାହାରେ ରାସ୍ତାରେ ମୀନାବଜାର, ରାମଦୋଳି, ଘରକରଣା ସାମଗ୍ରୀ କିଣାବିକା ସାଙ୍ଗକୁ ଯାତ୍ରା ପଡ଼େ । କିନ୍ତୁ ଗତ ଦୁଇ ବର୍ଷ ହେବ କରୋନା କଟକଣା ଲାଗି ସରକାର କେବଳ ସାଧୁସନ୍ଥଙ୍କ ଦ୍ୱାରା ମେଳାକୁ ଅନୁମତି ଦେଇ ଯାତ୍ରାକୁ ବନ୍ଦ କରିଥିଲେ । ଏଥର ମାତ୍ର ଯାତ୍ରା ହେବାର ଅଧିକ ସମ୍ଭାବନା ଥିବାରୁ ଆଗୁଆ ପ୍ରସ୍ତୁତି ସାଙ୍ଗକୁ ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ ଯାତ୍ରା ଲାଗି ସରକାରଙ୍କ ଅନୁମତି ଲୋଡ଼ିଛି । ଆସନ୍ତା ୫-୬ଦିନ ମଧ୍ୟରେ ପୁଲିସ୍, ପ୍ରଶାସନଠୁ ଅନୁମତି ମିଳିଯିବ ବୋଲି ମଞ୍ଚର ସମ୍ପାଦକ ନୃସିଂହ ଚରଣ ସୁନ୍ଦରରାୟ କହିଛନ୍ତି । ସମସ୍ତେ ଯାତ୍ରା ନେଇ ଆଶାବାଦୀ ଅଛନ୍ତି । ସନାତନ ସେବା ସମିତି, ଘାଟିକିଆ ଯାତ୍ରା ପଡ଼ିଆ ସଫା ସହ ଟିକଟ୍ ଘର ନିର୍ମାଣ କରି ପୂରା ଅପେକ୍ଷାରେ ରହିଛି । ଅନ୍ୟ ମଞ୍ଚଗୁଡ଼ିକ କେବଳ ଅନୁମତି ଅପେକ୍ଷାରେ ରହିଛନ୍ତି । ଗ୍ରୀନ୍ ସିଗନାଲ୍ ମିଳିଗଲେ ପ୍ରସ୍ତୁତିରେ ଲାଗିପଡ଼ିବେ ।
ଏଥର ୬ଟି ଯାତ୍ରା ମଞ୍ଚରେ ୧୨ଟି ଯାତ୍ରା ଦଳ ୧୨ଦିନ ଧରି ଭିନ୍ନ ଭିନ୍ନ ସ୍ୱାଦର ନାଟକ ପରିବେଷଣ କରିବେ । ଘାଟିକିଆ ମଞ୍ଚରେ ୨, ମହତାବ ମଞ୍ଚରେ ୨, ଜାଗମରା ଇନ୍ଦିରା ମଞ୍ଚରେ ୨, କେସିଏ ପଡ଼ିଆରେ ୨ଟି ଏବଂ ବରମୁଣ୍ଡା ପକ୍ଷରୁ ଜୟଦେବ ବାଟିକା ପଟେ ୨ଟି ଯାତ୍ରା ଦଳ ଯାତ୍ରା କରିବେ । ସବୁଥର ପରି ଏଥର ବି ଓଡ଼ିଶାର ବଛାବଛା ଶ୍ରେଷ୍ଠ ଯାତ୍ରା ଦଳ ଖଣ୍ଡଗିରିକୁ ଆସିବେ । ସେମାନଙ୍କ ମଧ୍ୟରେ ବି ନଜର ଥାଏ କିଏ ଖଣ୍ଡଗିରି ଯିବ । ସେଥିପାଇଁ ବର୍ଷ ତମାମ ପ୍ରତିଯୋଗିତା ଚାଲିଥାଏ । ଏବେ ଦୁଇ ବର୍ଷ ପରେ ସେ ସୁଯୋଗ ଆସିଛି କିନ୍ତୁ କାହାକୁ ଟିକଟ୍ ମିଳୁଛି ତାହା ଦେଖିବା ବାକି ରହିଥିଲାବେଳେ ଯାତ୍ରା ଦଳ ଓ କଳାକାରଙ୍କ ଉତ୍ସାହ କାହିଁରେ କ’ଣ ।
ଅନ୍ୟପକ୍ଷରେ ଶୁକ୍ରବାର ବିଏମ୍ସି ପକ୍ଷରୁ ଖଣ୍ଡଗିରି ମେଳା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଏମ୍ସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଜନପ୍ରତିନିଧି, ମେଳା କମିଟି, ଯାତ୍ରା କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି । କେଉଁଠି ପାର୍କିଂ ହେବ, ଷ୍ଟଲ୍ କେଉଁଠି ପଡ଼ିବ, ପୁଲିସ୍, ରେଡକ୍ରସ୍, ସୁଜଳ, ପରିମଳ ବ୍ୟବସ୍ଥା ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ କଥାବାର୍ତ୍ତା ହୋଇଛି । ଏହି ପରିଦର୍ଶନରେ ବିଏମ୍ସି ଅତିରିକ୍ତ କମିଶନର ଦକ୍ଷିଣ-ପଶ୍ଚିମ ଜୋନାଲ୍ ଡେପୁଟି କମିଶନର, ସ୍ଥାନୀୟ କର୍ପୋରେଟର୍, ପୂର୍ବତନ କର୍ପୋରେଟର୍ ଉପସ୍ଥିତ ରହି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଆଜି ବିଏମ୍ସି କାର୍ୟ୍ୟାଳୟରେ ବୈଠକ ବସି ଖଣ୍ଡଗିରି ମେଳା ଓ ଯାତ୍ରା ବିଷୟରେ ବିଶେଷ ଆଲୋଚନା ହେବ ବୋଲି ସୂଚନା ମିଳିଛି ।