28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିବିସି ଅଫିସରେ ତୃତୀୟ ଦିନ ଚଢଉ ଜାରି; ଡାଟା ଡିଲିଟ୍ ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ବିବିସି ଅଫିସରେ ତୃତୀୟ ଦିନ ଚଢଉ ଜାରି; ଡାଟା ଡିଲିଟ୍ ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବିବିସି (ବ୍ରିଟିଶ ବ୍ରଡ୍‌କାଷ୍ଟିଙ୍ଗ୍ କର୍ପୋରେସନ)ର ନୂଆଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ମଙ୍ଗଳବାଠାରୁ ଆରମ୍ଭ ହୋଇଥିବା ଆୟକର ଚଢଉ ତୃତୀୟ ଦିନରେ ଅବ୍ୟାହତ ରହିଛି । ଆୟକର ବିଭାଗ ପକ୍ଷରୁ ଏହି ଅଭିଯାନକୁ ଚଢଉ ପରିବର୍ତ୍ତେ ‘ସର୍ଭେ’ ଆଖ୍ୟା ଦିଆଯାଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି । ଚଢଉ ଆରମ୍ଭ ହେବାପରଠାରୁ ଦିଲ୍ଲୀସ୍ଥିତ ବିବିସି କାର୍ଯ୍ୟାଳୟର ୧୦ ଜଣ ବରିଷ୍ଠ କର୍ମକର୍ତ୍ତା ଘରକୁ ନଯାଇ ଅଫିସରେ ସମୟ ବିତାଉଥିବା ଜଣାପଡିଛି । ଆୟକର ଅଧିକାରୀମାନେ ବିବିସି କର୍ମଚାରୀଙ୍କ କମ୍ପ୍ୟୁଟରକୁ ଯାଞ୍ଚ କରୁଥିବାବେଳେ ଆର୍ôଥକ କାରବାର ସମ୍ପର୍କିତ ସୂଚନା ଓ କାଗଜପତ୍ର ସଂଗ୍ରହ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆୟକର ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ସହ ନିଜ କମ୍ପ୍ୟୁଟରରୁ କୌଣସି ଡାଟା ଡିଲିଟ୍ ନକରିବାକୁ ବିବିସି କର୍ତ୍ତୃପକ୍ଷ ନିଜ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହାତଗଣତି କେତେକ ଅଧିକାରୀଙ୍କୁ ବାଦଦେଲେ ଅନ୍ୟମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ (ୱାର୍କ ଫ୍ରମ୍ ହୋମ୍‌) ନିର୍ଦ୍ଦେଶ ଦିଆଯାଇଛି । ଚଢଉ ସତ୍ତ୍ୱେ ଏହି ଦୁଇଟି କାର୍ଯ୍ୟାଳୟରେ ସମ୍ବାଦ ପ୍ରସାରଣ କାର୍ଯ୍ୟ ଜାରି ରହିଥିବା ଜଣାପଡିଛି । ବିବିସି ଏକ ମଲ୍‌ଟିନ୍ୟାସନାଲ କମ୍ପାନୀ ହୋଇଥିବାବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ରହିଛି । ଟିକସ ଫାଙ୍କି ଏବଂ ଅର୍ଥ ଦେଣନେଣ କାରବାର ସମ୍ପର୍କିତ ସୂଚନା ହାସଲ କରିବାକୁ ଏଭଳି ଚଢଉ କରାଯାଉଛି ବୋଲି ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚଢଉ ସମୟରେ କିଭଳି ଆଚରଣ କରାଯିବ, ସେଥିନେଇ ବିବିସି କର୍ତ୍ତୃପକ୍ଷ ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଇତିମଧ୍ୟରେ ଦୁଇଟି ନିର୍ଦ୍ଦେଶାବଳୀ ପଠାଇସାରିଛନ୍ତି । କର୍ମଚାରୀଙ୍କୁ ଗିରଫ କରିବାର କ୍ଷମତା ଆୟକର ଅଧିକାରୀଙ୍କ ନିକଟରେ ନଥିବାରୁ ଆପଣମାନେ ଭୟଭୀତ ନହୋଇ ସେମାନଙ୍କର ପ୍ରତ୍ୟେକ ପ୍ରଶ୍ନର ସିଧାସଳଖ ଉତ୍ତର ଦିଅନ୍ତୁ ବୋଲି ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।

ଅପରପକ୍ଷରେ ଏଭଳି ସର୍ଭେ କାର୍ଯ୍ୟ ଆଉ କେତେ ଦିନ ଚାଲିବ, ସେ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ସୂଚନାଯୋଗ୍ୟ କିଛିମାସ ପୂର୍ବେ ବିବିସି ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ଇଣ୍ଡିଆ: ଦି ମୋଦୀ କ୍ୱେଶ୍ଚେନ୍‌’କୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୨ରେ ସେଠାରେ ସାଂପ୍ରଦାୟିକ ଦଙ୍ଗା ଘଟିଥିଲା । ଏଥିରେ ମୋଦୀଙ୍କ ଭୂମିକାକୁ ନେଇ ଏହି ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଭାରତ ସରକାର ଏହାର ପ୍ରସାରଣକୁ ବାତିଲ କରିଥିବାବେଳେ ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ପିଟିସନ ଦାଏର କରାଯାଇଛି । ଅପରପକ୍ଷରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କିମ୍ବା ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥାକୁ ଭୟଭୀତ କରିବାକୁ ଏଭଳି ଚଢଉ କରାଯାଉଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking