ନୂଆଦିଲ୍ଲୀ: ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନରେ ଜଣେ ବଳିପଡ଼ିଛନ୍ତି। ହିଜାବ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜଣେ ଯୁବ ସେଲିବ୍ରେଟିକୁ ପୁଲିସ ପିଟି ପିଟି ହତ୍ୟା କରିଛି। ଏହି ସେଲିବ୍ରେଟି ଜଣକ ହେଉଛନ୍ତି ମେହେରଶାଦ ଶାହିଦ୍। ସେ ଇରାନରେ ‘ଜାମି ଓଲିଭର’ ଭାବେ ପରିଚିତ। ଆଗକୁ ତାଙ୍କର ୨୦ତମ ଜନ୍ମଦିବସ ଥିଲା। ତେବେ ଜନ୍ମଦିନ ପାଳନ ପୂର୍ବରୁ ତାଙ୍କୁ ପୁଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶାହିଦଙ୍କ ହତ୍ୟାକୁ ନେଇ ଇରାନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଶାହିଦଙ୍କ ଅନ୍ତିମ ଶୋଭାଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ। ଦି ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ୧୯ ବର୍ଷୀୟ ଶାହିଦ୍ ଇରାନରେ ରିଭଲ୍ୟୁସନାରୀ ଗାର୍ଡରେ ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲା। ତାଙ୍କୁ ପୁଲିସ ଗିରଫ କରି ଅତି ନିଷ୍ଠୁର ଭାବେ ପିଟିଥିଲା। ତେବେ ଯାବତୀୟ ନିର୍ଯାତନାର ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଥଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। କିନ୍ତୁ ତାଙ୍କର ହୃତଘାତ ପାଇଁ ମୃତ୍ୟୁ ହୋଇ ଥିବା କହିବା ପାଇଁ ପରିବାର ଲୋକଙ୍କୁ ଚାପପ୍ରୟୋଗ କରାଯାଇଥିଲା। ସେପ୍ଟେମ୍ବର ୧୩ ଠାରୁ ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଧିରେ ଧିରଆ ବ୍ୟାପକ ତଥା ହିଂସାଭିମୁଖୀ ହେବାରେ ଲାଗିଛି। ବିଶେଷକରି ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି। କିଛି ଇରାନୀ ମହିଳା ସରକାରଙ୍କ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୀତିକୁ ବିରୋଧ କରି କେଶ କାଟିଦେଇଛନ୍ତି। କେଶ କାଟିବାର ଭିଡିଓ ମଧ୍ୟ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ୍ କରି ନିଆଁରେ ଘିଅ ଢାଳିବାର କାମ କରିଛନ୍ତି।