ଭୁବନେଶ୍ୱର : ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହିତ ସ୍ତ୍ରୀ ଫେରାର । ପରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି । ଏହି ମାମଲାରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ବାରମ୍ବାର ଥାନାକୁ ଡକାଉଥିବାରୁ ମାନସିକ ନିର୍ଯାତନାର ଶିକାର ହେଉଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ନ୍ୟାୟ ନପାଇବା ଯାଏ ଥାନା ଆଗରେ ଧାରଣା ଦେବାକୁ ମହିଳାଙ୍କ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ରହୁଥିବା ପ୍ରବୀଣ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି, ତାଙ୍କ ବୃଦ୍ଧା ମା’ ଏହି ଅଭିଯୋଗ ଆଣିଛନ୍ତି । ପ୍ରବୀଣଙ୍କ ଅଭିଯୋଗ, ତାଙ୍କ ପତ୍ନୀ କିଛି ମାସ ପୂର୍ବରୁ ତାଙ୍କୁ ଓ ତାଙ୍କ ୯ ବର୍ଷର ପୁଅକୁ ଛାଡ଼ି ଅନ୍ୟ ଜଣେ ବିବାହିତ ପୁରୁଷଙ୍କ ସହ ପଳାଇ ଯାଇଥିଲେ । ପତ୍ନୀ ତାଙ୍କୁ ଛାଡ଼ିକି ଯିବାପରେ ସେ ଏବେ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରହୁଛନ୍ତି ।
ହେଲେ ପତ୍ନୀ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣି ତାଙ୍କୁ ହଇରାଣ କରୁଥିବା ପ୍ରବୀଣ ଅଭିଯୋଗ ଆଣିଛନ୍ତି । ତାଙ୍କୁ ହଇରାଣ କରିବା ଓ ଅସୁବିଧାରେ ପକାଇବା ପାଇଁ ଭୁବନେଶ୍ୱର ମହିଳା ଥାନା ଓ ମହିଳା କମିଶନରେ ପତ୍ନୀ ଅଭିଯୋଗ କରିଥିବା ପ୍ରବୀଣ କହିଛନ୍ତି । ସେ କହିଛନ୍ତି, ‘ପତ୍ନୀଙ୍କ ଏଭଳି କାର୍ଯ୍ୟକଳାପରେ ମୁଁ ଡ୍ରିପେସନରେ ଅଛି । ମୋ ପୁଅ ସଦ୍ମାରେ ଅଛି । ଆମକୁ ବଞ୍ଚିବାକୁ କାହିଁକି ଦେଉ ନାହାନ୍ତି ? ବାରମ୍ବାର କାହିଁକି ସେ ଏଭଳି କରୁଛନ୍ତି ମୁଁ କିଛି ଜାଣିପାରୁନି ।’ ଥାନା ଓ ମହିଳା କମିଶନରଙ୍କ ଡାକରା ପାଇ ଆସୁଥିଲେ ମଧ୍ୟ ଅଭିଯୋଗକାରିଣୀ ପତ୍ନୀଙ୍କ ଦେଖା ମିଳୁନି । ପୋଲିସ କିମ୍ବା ମହିଳା କମିଶନ ଅଭିଯୋଗକାରିଣୀଙ୍କୁ ନ ଡକାଇ ତାଙ୍କୁ କାହିଁକି ବାରମ୍ବାର ଡକାଇ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ପ୍ରବୀଣ ପ୍ରଶ୍ନ କରିଛନ୍ତି । ଏନେଇ ତାଙ୍କ ପରିବାର ଲୋକ ମାନସିକ ସ୍ତରରେ ଅଶାନ୍ତି ରହୁଛନ୍ତି ।