ଯାଜପୁର : ରାଜ୍ୟର ଅନେକ ସ୍ଥାନରେ ଲୋକେ ପାଣିଟିକେ ପାଇଁ ଡହଳ ବିକଳ ହେଉଥିବା ବେଳେ ଦଶରଥପୁର ବ୍ଲକ ବିରିପଟ୍ଟା ପଞ୍ଚାୟତ ତଥା ନାରୀଗାଁରୁ ବିରିପଟ୍ଟା ଜଗନ୍ନାଥ ମନ୍ଦିର ମୁଖ୍ୟ ରାସ୍ତାର ଆରମ୍ଭ ଯଜ୍ଞପଡ଼ିଆ ଠାରେ ଥିବା ଏକ ପାଣିଟାଙ୍କି ନିକଟରେ ସକାଳରୁ ସଞ୍ଜ ହଜାର ହଜାର ଲିଟର ପାଣି ନଷ୍ଟ ହେଉଥିଲେ ସୁଧା କାହାର ଏଥିପ୍ରତି ନିଘା ନାହିଁ। ସତେ ଯେମିତି ପାଣି ଏ ମଣିଷ ଜାତି ପାଇଁ ଅଲୋଡ଼ା। ଜଳହିଁ ଜୀବନ ସମସ୍ତେ ଏହା ଜାଣି ମଧ୍ୟ ଜଳ ଏମିତି ନଷ୍ଟ ହେଉଥିବାର ଦେଖି କେହି ମୁହଁ ଖୋଲୁନାହାନ୍ତି କେମିତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମ ପ୍ରତିନିଧିଙ୍କ ନଜର ଆଜି ଏହି ଘଟଣା ଉପରେ ପଡ଼ିବାରୁ ଏନେଇ ସେ ସ୍ଥାନୀୟ ଲୋକଙ୍କ ପତିକ୍ରିୟା ନେବାରୁ ସେମାନେ କହିଥିଲେ କୌଣସି କାରଣ ବଶତଃ ପାଇପରୁ ପାଣି ଏହିଭଳି ପ୍ରତ୍ୟେକ ଦିନ ଝରି ନଷ୍ଟ ହେଉଛି। ସ୍ଥାନୀୟ କିଛି ଲୋକମାନେ ମଧ୍ୟ ଏହିପାଣିରେ ଗାଧୋଇବା ସହିତ ବିଲରୁ ଆସି ଗୋଡ଼ ହାତ ଧୋଇହେଉଛନ୍ତି। କିନ୍ତୁ ଦୁଃଖର ବିଷୟ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଏଇ ରାସ୍ତାରେ ଅନେକ ସାଧାରଣ ଲୋକ ସରକାରୀ କର୍ମଚାରୀ ଯାଉଥିଲେ ମଧ୍ୟ କେହି ବିଭାଗୀୟ ଅଧିକାରୀଙ୍କୁ ଖବର ଦେଉନାହାନ୍ତି ସତେ ଯେମିତି ଜଳ ତାଙ୍କ ପାଇଁ ଅଲୋଡ଼ା। ଉକ୍ତ ପାଣିଟାଙ୍କିରୁ ବିରିପଟା, ନାରୀଗାଁ, ଜାଫରପୁରକୁ ପାଇପ ଯୋଗେ ପାଣି ଯୋଗେଇ ଦିଆଯାଉଥିବା ବେଳେ ବର୍ତ୍ତମାନ କିଛି ସ୍ଥାନରେ ପାଇପ ଫାଟି ଯାଇଥିବାରୁ ଜାଫରପୁରକୁ ପାଣି ସଂଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ସରକାର ଘରଘର ବିଶୁଦ୍ଧ ପାଣି ଯୋଗାଇଦେବା ସହ ଜଳ ନଷ୍ଟ ନକରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ,ଟେଲିଭିଜନ ,ଖବରକାଗଜରେ ବିଜ୍ଞାପନ ଦେଉଥିବା ବେଳେ ଏଠି ପାଣି ଏଭଳି ଭାବେ ନଷ୍ଟ ହେଉଥିଲେ ସୁଦ୍ଧା ସ୍ଥାନୀୟ ଜନପ୍ରତିନିଧି କିମ୍ବା ପାନୀୟ ଜଳ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରକୁ କିପରି ଆସୁନାହିଁ ଏହା ବଡ଼ ଆଶ୍ଚର୍ଯ୍ୟର କଥା। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଜଳ ନଷ୍ଟହେବାର ପ୍ରତିକାର କିମ୍ବା ପାଇପ ମରାମତି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କେତେ ତତ୍ପରତା ଦେଖାଉଛନ୍ତି।