28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶଏନ୍‌ସିଏଲ୍‌ଏଟି ନିଷ୍ପତ୍ତିକୁ ଖାରଜ କଲେ ସୁପ୍ରିମକୋର୍ଟ; ବିକ୍ରି ହେବ ଜେଟ୍ ଏୟାରୱେଜ୍ ସମ୍ପତ୍ତି

ଏନ୍‌ସିଏଲ୍‌ଏଟି ନିଷ୍ପତ୍ତିକୁ ଖାରଜ କଲେ ସୁପ୍ରିମକୋର୍ଟ; ବିକ୍ରି ହେବ ଜେଟ୍ ଏୟାରୱେଜ୍ ସମ୍ପତ୍ତି

ନୂଆଦିଲ୍ଲୀ: ଦେବାଳିଆ ହୋଇପଡ଼ିଥିବା ଜେଟ୍ ଏୟାରୱେଜ୍‌ର ସମ୍ପତ୍ତି ବିକ୍ରି କରିବାକୁ ସୁପ୍ରିମ୍‌କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନିଜର ସ୍ୱତନ୍ତ୍ର ସାମ୍ବିଧାନିକ କ୍ଷମତା ବ୍ୟବହାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ସହ ବିମାନ ଚଳାଚଳ କ୍ଷେତ୍ରରେ ଜେଟ୍ ଏୟାରୱେଜ୍‌ର ଯାତ୍ରା ମଧ୍ୟ ଶେଷ ହୋଇଛି। ଏୟାରଲାଇନକୁ ଲିକ୍ୱିଡେଟ୍ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗୋଟିଏ କମ୍ପାନୀର ଲିକ୍ୱିଡେସନ୍ ଅର୍ଥ ହେଉଛି ଏହାର ସମ୍ପତ୍ତି ବିକ୍ରୟ କରି ଏହାକୁ ସଂପୂର୍ଣ୍ଣ ବାତିଲ୍ କରିବା।
ଗୁରୁବାର ଏହି ମାମଲାର ଶୁଣାଣି ହୋଇଥିବା ବେଳେ ମୁଖ୍ୟ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେଟ୍ ଏୟାରୱେଜର ସମାଧାନ ଯୋଜନାକୁ ବଜାୟ ରଖିବା ଏବଂ ଏହାର ମାଲିକାନା ଜାଲାନ କାଲରକ୍ କନସୋର୍ଟିୟମ୍ (ଜେକେସି)କୁ ହସ୍ତାନ୍ତର କରିବା ପାଇଁ ଜାତୀୟ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଦେଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ପ୍ରକାଶ, ଜଷ୍ଟିସ ପାର୍ଦିୱାଲା ଏନ୍‌ସିଏଲ୍‌ଏଟି ରାୟ ବିରୋଧରେ ଏସ୍‌ବିଆଇ ଏବଂ ଅନ୍ୟ ଋଣଦାତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଜେକେସି ସପକ୍ଷରେ ଜେଟ୍ ଏୟାରୱେଜ୍‌ର ରିଜୋଲ୍ୟୁସନ୍ ପ୍ଲାନ୍‌କୁ ବଜାୟ ରଖିବା ନିଷ୍ପତ୍ତିକୁ ପିଟିସନ୍‌ରେ ବିରୋଧ କରାଯାଇଥିଲା। ଅଦାଲତ କହିଛନ୍ତି ଯେ, ଏୟାରଲାଇନ୍ସର ସଂପତ୍ତି ବିକ୍ରି ଋଣଦାତା, ଶ୍ରମିକ ଏବଂ ଅନ୍ୟ ଅଂଶୀଦାରଙ୍କ ସ୍ୱାର୍ଥରେ ଅଟେ। ଲିକ୍ୟୁଡେସନ୍ ପ୍ରକ୍ରିୟାରେ କମ୍ପାନୀରସମ୍ପତ୍ତି ବିକ୍ରି କରି ମିଳିଥିବା ଅର୍ଥରୁ ଋଣ ପରିଶୋଧ କରାଯାଏ। ଏହି ନିଷ୍ପତ୍ତି ପାଇଁ ଖଣ୍ଡପୀଠ ଏନ୍‌ସିଏଲଏଟିକୁ କଡ଼ା ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଜେଟ୍ ଏୟାରୱେଜ୍‌’ର ପ୍ରତିଷ୍ଠାତା ହେଉଛନ୍ତି ନରେଶ ଗୋୟଲ। ଦେଶର ଦ୍ରୁତ ପରିବର୍ତ୍ତନଶୀଳ ବିମାନ ଚଳାଚଳ କ୍ଷେତ୍ର ଅନୁଯାୟୀ’ ଜେଟ୍ ଏୟାରୱେଜ୍‌’ ନିଜକୁ ପରିବର୍ତ୍ତନ କରିପାରିନଥିଲା। ଦୀର୍ଘ ସମୟ ଧରି ବିମାନର ଆକାର ପରିବର୍ତ୍ତନ କରିପାରିଲାନି କମ୍ପାନୀ। କେବଳ ଏତିକି ନୁହେଁ, ଲିଜ୍ ନିଆଯାଇଥିବା ବିମାନଗୁଡ଼ିକର ଦେୟକୁ ମଧ୍ୟ ଡିଫଲ୍ଟ କରିଥିଲା କମ୍ପାନୀ। ଏହି କାରଣରୁ, ଧିରେ ଧିରେ କମ୍ପାନୀ ଆର୍ôଥକ ସଙ୍କଟର ସମ୍ମୁଖୀନ ହୋଇଥିଲା। ଏସବୁ ମଧ୍ୟରେ କମ୍ପାନୀ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ବିରୋଧରେ ଅର୍ଥ ହେରଫେର ଅଭିଯୋଗ ହୋଇଥିଲା। ଏହି ସମ୍ପର୍କିତ ମାମଲାରେ ସେ ଦୀର୍ଘ ଦିନ ଧରି ଇଡି ହେପାଜତରେ ଅଛନ୍ତି। ଇଡି ଅଭିଯୋଗକ୍ରମେ ଜେଟ୍ ଏୟାରୱେଜକୁ ୬,୦୦୦ କୋଟି ଟଙ୍କାର ଯେଉଁ ଋଣ ଦିଆଯାଇଥିଲା, ସେଥିରୁ ବହୁ ପରିମାଣର ଅର୍ଥ ହଡପ ହୋଇଛି। କେବଳ ଏତିକି ନୁହେଁ, ଏହି ଅର୍ଥର ଅନେକ ଅଂଶ ଜର୍ସି ଏବଂ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ ପରି ଟ୍ୟାକ୍ସ-ଫ୍ରି ଦେଶକୁ ମଧ୍ୟ ପଠାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking