କଟକ: କଟକ ପ୍ରେସଛକରେ ଗତ ବିଳମ୍ବିତ ରାତିରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ରେସ ଛକରେ ଥିବା ମାଛ ମାର୍କେଟ ଜଳି ପୋଡି ପାଉଁଶ ହୋଇଯାଇଛି । ରାତି ପ୍ରାୟ ୨ ଟା ୩୦ ରେ ନିଆଁ ଲାଗିଥିବା କୁହାଯାଇଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଆୟତ୍ତ କରିବା କଷ୍ଟ ହୋଇ ପଡିଛି । ଘଟଣା ସମ୍ପର୍କରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଖବର ପାଇବା ପରେ ଉଭୟ ବକ୍ସି ବଜାର ଓ ଚାଉଳିଆ ଗଞ୍ଜରୁ ୧୦ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା ।
ନିଆଁ ଲାଗିଥିବା ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ସେଥିପାଇଁ ଅଗ୍ନିଶମ ବାହିନୀକୁ ନିଆଁ ଆୟତ୍ତ କରିବା କଷ୍ଟ ହେଉଛି । ଏବେ ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ଲାଗିଛନ୍ତି । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଛି । ଗତକାଲି ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ । ସମ୍ଭବତଃ ଆଜି ଟଙ୍କା ଡିପୋଜିଟ୍ କରିଥାନ୍ତେ । ତେବେ ଗତ ରାତିରୁ ନିଆଁ ଲାଗି ଯାଇଛି । ମାଛ ମାର୍କେଟ୍ ଜଳିଯିବା ଫଳରେ ବ୍ୟବସାୟୀମାଙ୍କର ସର୍ବସ୍ବ ଜଳି ଯାଇଛି । ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ମାଛ ମାର୍କେଟ୍ ର ଆସବାବ ପତ୍ର ସହ ଡିପ୍ ଫ୍ରିଜର୍ ମଧ୍ୟ ଜଳି ଯାଇଛି । ଉପର ମହଲାରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଛି । ବ୍ୟାଙ୍କର ଆସବାବପତ୍ରରେ ମଧ୍ୟ ନିଆଁ ଲାଗିଥିବା ଆଶଙ୍କା କରାଯାଉଚି । ନିଆଁ ଏବେ ଧୂଆଁ ବେଶ ଅଧିକ ଥିବାରୁ ଅଗ୍ନିଶମ ବାହିନୀ ପାଇଁ ଘର ଭିତରକୁ ପଶିବା ମୁସ୍କିଲ ହେଉଛି ।ସେପଟେ ନିଆଁକୁ ଆୟତ୍ତ କରିବାକୁ ମୁସ୍କିଲ୍ ହେଉଥିବାର ବିଲ୍ଡିଂର କିଛି ଅଂଶକୁ ଜେସିପି ସହାୟତାରେ ଭଙ୍ଗା ହୋଇଛି । ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।










