ବାଲେଶ୍ୱର: ବିହାର ଅଞ୍ଚଳର ଜଣେ ୨୨ ବର୍ଷୀୟ ମହିଳା ସୋର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିବା ପରେ ପ୍ରତାରଣାର ଶିକାର ହୋଇ ସୋର ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ସୋର ଥାନା ସବିରା ଅଞ୍ଚଳର ଅବିନାଶ ପରିଡା ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି । ସେହି ରେଷ୍ଟୁରାଣ୍ଟରେ ବିହାର ଅଞ୍ଚଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟେ ଗତ ବର୍ଷ ଡିସେମ୍ବର ମାସ ମନ୍ଦିରରେ ଓ ଚଳିତ ବର୍ଷ ଜାନୁଆରୀ ମାସ ୨୦ ତାରିଖରେ ନୋଟରୀ ବିବାହ କରିଥିଲେ । ମାତ୍ର ଗତ ୪ ତାରିଖ ରାତିରେ ଅବିନାଶ ଉକ୍ତ ଯୁବତୀଙ୍କର ଲାପଟପ,ମୋବାଇଲ ,କିଛି ଗହଣା ଓ ନଗଦ ୬୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପରେ ଅବିନାଶ ନିଜ ଗାଁକୁ ପଳେଇ ଆସିଥିବା ନେଇ ମହିଳା ଜଣଙ୍କ ଜାଣିବା ପରେ ତାଙ୍କ ସହ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରିବାରେ ମଧ୍ୟ ବିଫଳ ହେବାରୁ ସୁଦୂର ହାଇଦ୍ରାବାଦରୁ ଆସି ସନ୍ଧ୍ୟାରେ ସୋର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି । ସୋର ପୋଳିସ ମହିଳା ଜଣଙ୍କୁ ସୁଧାର ଗୃହରେ ରଖିବା ସହିତ ଘଟଣାର ତଦନ୍ତ କରୁଛି ।