ନୂଆଦିଲ୍ଲୀ: ୨ ଲକ୍ଷ ପଥରରେ ତିଆରି ହୋଇଛି ମନ୍ଦିର । ଆଉ ୫୦ ଫୁଟ ଉଚ୍ଚରେ ଅଛନ୍ତି ଦେବ ଦେବ ମହାଦେବ । ସବୁବେଳେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶ ଶାହଜାନପୁରରେ ଅବସ୍ଥିତ ଭବ୍ୟ ଶିବ ମନ୍ଦିର । ଆସ୍ଥା ଓ ବିଶ୍ୱାସର ଏକ ବଡ଼ ସ୍ଥଳୀ । ଲୋକମାନଙ୍କର ବିଶ୍ୱାସ ଅଛି ଯେ, ଏଠାରେ ଯେଉଁମାନେ ଭକ୍ତି, ଶ୍ରଦ୍ଧା, ଓ ନିର୍ମଳ ହୃଦୟରେ ପ୍ରାର୍ଥନା କରିଥାନ୍ତି, ତାଙ୍କର ସବୁ ମନସ୍କାମନା ପୂରଣ ହୁଏ । ତେଣୁ ପ୍ରତ୍ୟେକ ବର୍ଷ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ନିଜ ମନସ୍କାମନା ନେଇ ଭୋଳାନାଥଙ୍କ ଦର୍ଶନ ପାଇଁ ଆସନ୍ତି । ଶାହାଜାନପୁର ମଦନାପୁର ଅଞ୍ଚଳର ଫିରୋଜପୁର ଗ୍ରାମରେ ମହାଦେବଙ୍କ ଏହି ମନ୍ଦିର ଅବସ୍ଥିତ । ଏହି ଶିବ ମନ୍ଦିରର ଉଚ୍ଚତା ପ୍ରାୟ ୫୦ ଫୁଟ୍ । ୨୦୦୯ରେ ଆରମ୍ଭ ହୋଇଥିଲା ମନ୍ଦିରର ନିର୍ମାଣ କାର୍ୟ୍ୟ । ଯାହାକୁ ସମ୍ପୂର୍ଣ୍ଣ କରିବାକୁ ଲାଗିଥିଲା ୧ ବର୍ଷ । ଫିରୋଜପୁରର ବାସିନ୍ଦା ମହିପାଲ ସିଂ ଚୌହାନ୍ ୨୦୦୯ରେ ମନ୍ଦିର ପାଇଁ ଏହି ଜମି ଦାନ କରିଥିଲେ । ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ୨ ଲକ୍ଷରୁ ଅଧିକ ନଦୀ ପଥରରେ ନିର୍ମାଣ ହୋଇଛି । ଯାହା ଉପରେ ସ୍ଥାପନ କରାଯାଇଛି ଏକ ବିଶାଳ ଶିବଲିଙ୍ଗ । ବନ୍ଦାୟୁ ଜିଲ୍ଲାର ବନକୋଟା ଗାଁରେ ବାସ କରନ୍ତି ମହାନ୍ ଶିବଭକ୍ତ ଧରମପାଲ୍ ପ୍ରଜାପତି । ଯିଏ ନିଜ ହାତରେ ଏହିସବୁ ପଥର ବ୍ୟବହାର କରି ଏହି ମହାନ୍ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରର ଉଚ୍ଚତା ଅଧିକ ଥିବାରୁ ମନ୍ଦିର ଉପରକୁ ଯିବା ଲାଗି ଅନେକ ପଥରର ପାହାଚ ନିର୍ମିତ ହୋଇଛି । ଏହି ପଥର ପାହାଚର ଶେଷରେ ଦର୍ଶନ ହୋଇଥାଏ ବିଶାଳ ଶିବଲଙ୍ଗ ।