ନୂଆଦିଲ୍ଲୀ: କାର୍ଯ୍ୟରେ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୭ ତାରିଖରୁ ସମସ୍ତ ସାମ୍ବିଧାନିକ ପୀଠର ଶୁଣାଣି ସିଧା ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସର୍ବୋଚ୍ଚ ଅଦାଲତ ୨୦୧୮ରେ ଏ ସମ୍ବନ୍ଧରେ ଐତିହାସିକ ନିଷ୍ପତ୍ତି ନେଇଥିଲେ ଏବଂ ଠିକ୍ ଚାରିବର୍ଷ ପରେ ଏହାର ପ୍ରୋସିଡିଂ ସିଧା ପ୍ରସାରଣ କରାଯିବ । ଭାରତର ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ସର୍ବୋଚ୍ଚ ଆଦାଲତର ୩୦ ଜଣ ବିଚାରପତି ସ୍ୱପ୍ନିଳ ତ୍ରିପାଠୀ ମାମଲାରେ ୨୦୧୮ର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଲାଗୁ କରିବା ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ସର୍ବସମ୍ମତ୍ତିକ୍ରମେ ନିର୍ଣ୍ଣୟ ନେଇଛନ୍ତି । ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଅଗଷ୍ଟ ୨୬ ତାରିଖରେ ତତ୍କାଳୀନ ପ୍ରଧାନ ବିଚାରପତି ଏନ୍ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠର ପ୍ରୋସିଡିଂ ଏକ ୱେବ୍କାଷ୍ଟ ପୋର୍ଟାଲ୍ ଜରିଆରେ ସିଧା ପ୍ରସାରଣ ହୋଇଥିଲା । ଚାରିବର୍ଷ ପୂର୍ବେ ୨୦୧୮ ସେପ୍ଟେମ୍ବର ୨୬ ତାରିଖରେ ସୁପ୍ରିମକୋର୍ଟ ‘ସାମ୍ବିଧାନିକ ଓ ଜାତୀୟ ମହତ୍ତ୍ୱ’ ମାମଲାର ପ୍ରୋସିଡିଂର ସିଧ ପ୍ରସାରଣ ଅନୁମତି ଦେଇ ନ୍ୟାୟପାଳିକାର କାର୍ଯ୍ୟରେ ପାରଦର୍ଶିତା ଆଣିବା ଦିଗରେ ବଡ଼ ପଦକ୍ଷେପ ନେଇଥିଲେ ।